Odisha Link
Bridging the Missing Links in Odisha

ଆସୁଛି ନିର୍ବାଚନ; କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କ ସ୍ଥିତି ରହିଛି କ’ଣ?

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଘୋଷଣା ହୋଇନି ତାରିଖ। ହେଲେ ଏବେଠୁ ଜିତିବା ପାଇଁ ଅଙ୍କକଷା ଆରମ୍ଭ। ଅନ୍ୟପଟେ ମିଶ୍ରଣ ପର୍ବର ରଙ୍ଗରେ ରଙ୍ଗୀନ ହେଉଛନ୍ତି ବିଭିନ୍ନ ଦଳର ନେତା। ଜାତୀୟ ରାଜନୀତି କଥା କହିବାକୁ ଗଲେ ବିଜେପିରେ ସାମିଲ ହେଉଛନ୍ତି ଅନେକ ଦିଗଜ ନେତା। କଂଗ୍ରେସ, ସପା, ଆପ୍‌ ଭଳି ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି ତୁଙ୍ଗ ନେତା। ଯାହାଫଳରେ ଦିନକୁ ଦିନ ବଳଶାଳୀ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟିି। ତେବେ କଂଗ୍ରେସରୁ ବିଜେପିକୁ ଆସୁଥିବା ନେତାଙ୍କ ସ୍ଥିତି କ’ଣ ରହିଛି ? ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଏହି ରିପୋର୍ଟରେ ଆମେ ଖୁଲାସା କରିବୁ।

ବିଶେଷ ଭାବେ ବିଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନେ ବିଜେପି ମୁହାଁ ହୋଇଛନ୍ତି। ନିକଟରେ କଂଗ୍ରେସ ନେତା ଅଶୋକ ଚୌହାନ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ଏହାପୂର୍ବରୁ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଯଦି ଅଦଳବଦଳ ତାଲିକା ଉପରେ ନଜର ପକାଇବା ତେବେ ଅନ୍ୟ ଦଳ ଛାଡ଼ି ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିରେ ବିଶେଷ କିଛି ଫାଇଦା ମିଳି ନାହିଁ।

ସୂଚନାଥାଉକି, ବିଜେପିରେ ସାମିଲ ହୋଇଥିବା କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଅମରିନ୍ଦର ସିଂହ, ଦିଗମ୍ବର କାମତ, ଏସଏମ କୃଷ୍ଣା, ବିଜୟ ବହୁଗୁଣା, ଏନ କିରଣ ରେଡ୍ଡୀ, ଏନଡି ତିଓ୍ବାରୀ, ଜଗଦମ୍ବିକା ପାଲ ଓ ପେମା ଖାଣ୍ଡୁଙ୍କ ଭଳି ନେତା ରହିଛନ୍ତି। ପେମା ଖାଂଡୁ ବିଜେପିକୁ ଆସିବା ପରେ ଅରୁଣାଚଳ ପ୍ରଦେଶରେ ବିଜେପିକୁ ଲାଭ ମିଳିଛି। ବିଜେପିକୁ ନିର୍ବାଚନରେ ବହୁମତ ମିଳିଛି ଓ ଖାଂଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏନଡି ତିଓ୍ବାରୀଙ୍କ କଥା ଯଦି ବିଚାରକୁ ନିଆଯାଏ ତେବେ ସେ ତାଙ୍କ ପୁଅର ଭବିଷ୍ୟତକୁ ନଜରରେ ରଖି ବିଜେପିରେ ସାମିଲ ହୋଇଥିଲେ। ହେଲେ ବିଜେପିରେ ମିଶିବା ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରରି କର୍ଣ୍ଣାଟକ ରାଜନୀତିର ଜଟିଳତାକୁ ଦେଖି ବିଜେପିରେ ସାମିଲ ହୋଇଥିଲେ। ଏଥିସହିତ ବୟସ ବୃଦ୍ଧି କାରଣରୁ ଏସଏମ କୃଷ୍ଣା ରାଜନୀତିରୁ ଦୂରେଇ ରହିବା ସହିତ ନିଷ୍କ୍ରିୟ ହୋଇ ଯାଇଛନ୍ତି।

ସବୁଠୁ ଚର୍ଚ୍ଚାରେ ରହୁଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରନ୍ଦର ସିଂହ ବିଜେପିରେ ସାମିଲ ହେବା ପରଠୁ ରାଜନୀତିରେ କମ୍‌ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଏପରି କୁହାଯାଉଛି ଯେ ଶ୍ରୀ ସିଂହ ନିଜ ଝିଅକୁ ସମସ୍ତ ରାଜନୈତିକ୍ୟ ଦାୟିତ୍ବ ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କ ବିଚାରଧାରା ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣାଙ୍କ କଥା ଟିକେ ଅଲଗା। କାରଣ ଉତ୍ତରାଖଣ୍ଡରେ ବିଜେପି ସତ୍ତାକୁ ଆସିବା ପରେ ବିଜୟଙ୍କ ପୁଅକୁ ଧାମୀ ସରକାର କ୍ୟାବିନେଟରେ ସ୍ଥାନ ମିଳିଛି।

ଅନ୍ୟପଟେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଓ ତ୍ରିିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ କାହାଣୀ ଅଲଗା। କୁହାଯାଏକି କଂଗ୍ରେସ ହିମନ୍ତକୁ ମୁଖ୍ୟମନ୍ତ୍ରୀ ବନେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ନିର୍ବାଚନ ପରେ ମୌକା ଦେଖି କଂଗ୍ରେସ ତା କଥାରୁ ଓହରି ଯାଇଥିଲା। ଆଉ କଂଗ୍ରେସ ତରୁଣ ଗୋଗେଇକୁ ମୁଖ୍ୟମନ୍ତ୍ରୀ ବନାଇ ଥିଲା। ଏଥିରେ ଅତିଷ୍ଠ ହୋଇ ହିମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଓ ପରେ ବିଜେପି ସରକାର ଆସାମରେ ହୋଇଥିଲା। ଆଉ ହିମନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜିର ସମୟରେ ହିମନ୍ତ ବିଶ୍ବ ଶର୍ମା ବିଜେପିର ଜଣେ ଆଗ ଧାଡ଼ିର ଫାୟାରବ୍ରାଣ୍ଡ ନେତା ଭାବେ ଚର୍ଚ୍ଚାରେ ଅଛନ୍ତି।

ସେହିପରି କଂଗ୍ରେସରେ ବାରମ୍ବାର ଅଣଦେଖା ହେବା ପରେ ବିରେନ ସିଂହ କଂଗ୍ରେସ ଛାଡ଼ି ମଣିପୁରରେ ବିଜେପି ସହିତ ମିଶି ସରକାର ଗଠନ କଲେ। ୨୦୧୭ରେ ମଣିପୁରରେ ବିଜେପିକୁ ବହୁମତ ମିଳିଥିଲା। ଆଉ ବିରେନ ସିଂହଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଥିଲା। ସେହିପରି ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ବହୁ ଦିନ ଲାଗିଯାଇଥିଲା। କାରଣ ତ୍ରିପୁରାରେ ଦୀର୍ଘ ଦିନ ଧରି ବାମଦଳ ସରକାର ଥିଲା। ପରେ ବିଜେପି ସତ୍ତାକୁ ଆସିବା ପରେ ବିପ୍ଲବ କୁମାର ଦେବଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା ବିଜେପି। ପରେ ମାଣିକ ସାହା ତ୍ରିପୁରା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବହୁ କଂଗ୍ରେସର ଦିଗଜ ନେତା ହାତ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ପୂର୍ବ ସହଯୋଗୀ ଓ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରପିଏନ ସିଂହ, ଜିତିନ ପ୍ରସାଦ ବିଜେପିରେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭଙ୍ଗ କରିବାରେ ସଫଳ ହୋଇଥିବା ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ମିଳିଥିଲା। ଜତିନ ପ୍ରସାଦ ଉତ୍ତର ପ୍ରଦେଶ ସରକାରେ ମନ୍ତ୍ରୀ ରହିଛନ୍ତି। ସେହିପରି ଆରପିଏନ ଙ୍କୁ ଚଳିତଥର ଉତ୍ତର ପ୍ରଦେଶରୁ ରୀଜ୍ୟସଭା ପଠାଯାଇଛି।

ସୂଚନାଥାଉକି, ବିଜେପିରେ ସାମିଲ ହୋଇଥିବା କଂଗ୍ରେସ ନେତାଙ୍କ ଲମ୍ବା ତାଲିକା ମଧ୍ୟରୁ ହିମନ୍ତ ବିଶ୍ବ ଶର୍ମା ଓ ଜୋତିରାଦିତ୍ୟ ସିନ୍ଧିଆଙ୍କୁ ସବୁଠୁ ଅଧିକ ଲାଭ ମିଳିଛି। ଦୁହେଁ ବିଜେପିର ଆଗଧାଡ଼ିର ନେତା ହୋଇଥିବା ବେଳେ ଫାୟାରବ୍ରାଣ୍ଡ ନେତା ଭାବେ ଚର୍ଚ୍ଚାରେ ରହିଛନ୍ତି।

Leave A Reply

Your email address will not be published.