Odisha Link
Bridging the Missing Links in Odisha

୩୫ ଡିଗ୍ରୀ ଉପରେ ୧୮ ସହର

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ୧୮ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି।

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୩୬.୫ ଡିଗ୍ରୀ ତାପମାତ୍ରା ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ସେତିକି ନୁହେଁ ଆଜି ରାଜ୍ୟର ୧୮ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି।

ଆସନ୍ତା କାଲି ଅଧିକାଂଶ ସ୍ଥାନରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବ। ଦୁଇଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି।

ପ୍ରମୁଖ ସହରର ସର୍ବୋଚ୍ଚ ଦିନ ତାପମାତ୍ରା:
ସୋନାପୁର ୩୬.୩ଂ ରେକର୍ଡ ହୋଇଥିବା ବେଳେ , ଭୁବନେଶ୍ବର ଓ ତାଳଚେର ୩୬.୨ଂ ରେକର୍ଡ ହୋଇଛି। ସେହିପରି ଟିଟଲାଗଡ଼ ୩୬ଂ, ବୌଦ୍ଧ ୩୬ଂ, ଝାରସୁଗୁଡ଼ା ୩୫.୭ଂ, ଭଦ୍ରକ ୩୫.୬ଂ, ଢେଙ୍କାନାଳ ୩୫.୬ଂ, ଭବାନୀପାଟଣା ୩୫.୫ଂ, ନୟାଗଡ଼ ୩୫.୫ଂ, ବଲାଙ୍ଗୀର ୩୫.୫ଂ, କଟକ ୩୫.୪ଂ, ମାଲକାନଗିରି ୩୫.୪ଂ, ଅନୁଗୁଳ ୩୫.୩ଂ, ବାଲେଶ୍ବର ୩୫.୨ଂ, ଚାନ୍ଦବାଲି ୩୫.୨ଂ, ଯାଜପୁର ୩୫.୨ଂ ଓ ପାରଳାଖେମୁଣ୍ଡୀରେ ୩୫ଂ ଦୈନିକ ତାପମାତ୍ରା ରେକର୍ଡ ହୋଇଛି ।