Odisha Link
Bridging the Missing Links in Odisha

କାଲି ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ୧୫ ଆସନରେ ସ୍ଥିତି ରୋମାଞ୍ଚକର

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି। ୫୬ଟି ଆସନରୁ ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗାନ୍‌ଙ୍କ ସମେତ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି। ତେବେ ଆସନ୍ତକାଲି ୧୫ଟି ଆସନ ପାଇଁ ନିର୍ବାଚନ ହେବ।

ଆସନ୍ତାକାଲି ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ମୋଟ ୧୫ଟି ଆସନପାଇଁ ୨୭ ତାରିଖରେ ମତଦାନ ହେବ।

ବଡ଼କଥା ହେଲା ୧୫ଟି ଆସନ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ରହିଛି। ଏହି ତିନି ରାଜ୍ୟରେ ଏବେ ରୋମାଞ୍ଚକର ସ୍ଥିତି ଉପୁଜିଛି। ଉତ୍ତରପ୍ରଦେଶରେ ୧୦ ରାଜ୍ୟସଭା ଆସନକୁ ନେଇ ସ୍ଥିତି ସର୍ବାଧିକ ରୋଚକ ରହିଛି। ବିଜେପି ଏଠାରେ ଅଷ୍ଟମ ପ୍ରାର୍ଥୀ ଦେଇ ବିରୋଧୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। ବିଜେପିର ରାଜନୈତିକ ରଣନୀତି ନେଇ ରାଜ୍ୟରେ ମୁହାଁମୁହିଁ ଅବସ୍ଥା ଦେଖାଦେଇଛି।

ସେହିପରି ହିମାଚଳପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପାଖରେ ବିଜୟ ହେବା ପାଇଁ ପ୍ରର୍ଯ୍ୟାପ୍ତ ବିଧାୟକ ନ ଥିଲେ ମଧ୍ୟ ଦଳ ପକ୍ଷରୁ କଂଗ୍ରେସର ଅଭିଷେକ ମନୁ ସିଙ୍ଗଭୀଙ୍କ ବିରୋଧରେ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ କର୍ଣ୍ଣାଟକରେ ୪ ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ରାଜ୍ୟରେ କଂଗ୍ରେସ ୪ ଜଣ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି। ଫଳରେ ବିଜେପିର ରଣନୀତି ନେଇ ସ୍ଥିତି ରୋଚକ ହୋଇଛି।

ସୂଚନାଥାଉକି, ନିର୍ବାଚିତ ହୋଇଥିବା ୪୧ ଆସନରୁ ବିଜେପି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬ଟି, ତୃଣମୂଳ କଂଗ୍ରେସ ୪ଟି, ୱାଇଏସ୍‌ଆର କଂଗ୍ରେସ ୩ଟି, ଆରଜେଡି ୨ଟି, ବିଜେଡି ୨ଟି ଏବଂ ଏନସିପି, ଶିବସେନା, ବିଆରଏସ ଓ ଜେଡିୟୁ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇସାରିଛନ୍ତି।

Leave A Reply

Your email address will not be published.