Odisha Link
Bridging the Missing Links in Odisha

ମିଶନ ଶକ୍ତି ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ଏଣିକି ବିନା ସୁଧରେ ମିଳିବ ଋଣ

ଓଏଲ୍‌ ବ୍ୟୁରୋ: ଆହୁରି ସଶକ୍ତ ହେବେ ମହିଳା। ଏସ୍‌‌ଏଚ୍‌‌ଜିଙ୍କୁ ଏମ୍‌ଏସ୍‌‌ଏମ୍‌‌ଇରେ ପରିଣତ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ମହିଳାମା‌ନେ ରୋଜଗାରକ୍ଷମ ହେଲେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ କିଭଳି ପ୍ରତିଷ୍ଠିତ ହୋଇପାରିବେ, ସେଥିପାଇଁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ୨୦୦୧ ମସିହାରେ ରାଜ୍ୟ ସରକାର ମିଶନ୍‌ ଶକ୍ତିର ଯେଉଁ ପରିକଳ୍ପନା କରିଥିଲେ, ତାହା ଆଜି କେବଳ ରାଜ୍ୟ ଭିତରେ ସୀମିତ ନାହିଁ, ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି।

ଯେଉଁ ମହିଳାମାନେ ଦିନେ ଘରର ଚାରିକାନ୍ଥ ଭିତରେ ରହୁଥିଲେ, ସେମାନେ ଆଜି ଦେଶ ବାହାରକୁ ଯାତ୍ରା କରୁଛନ୍ତି। ସେମାନଙ୍କ ହାତତିଆରି ସାମଗ୍ରୀ ଘରେଘରେ ପହଞ୍ଚୁଛି। ମହିଳାମାନଙ୍କର ବିକାଶର ଏହି ଯାତ୍ରାକୁ ଆହୁରି ସୁଦୃଢ଼ ଓ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ବଜାରର ପରିକଳ୍ପନା ଦିନ କେଇଟା ପରେ ବାସ୍ତବତାର ରୂପ ନେବାକୁ ଯାଉଛି। ଭୁବନେଶ୍ବରସ୍ଥିତ ଓରମାସ୍‌‌ ପରିସରରେ ନିର୍ମାଣଧୀନ ଏହି ବଜାରର ନିର୍ମାଣ ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ମିଶନ ଶକ୍ତି ମାଆଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ ବୋଲି ଘୋଷଣା କରାଯାଇଛି।