Odisha Link
Bridging the Missing Links in Odisha

ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଆଲୋଚନା ଗ୍ରନ୍ଥ ‘ତିନି ଦଶନ୍ଧିର ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ‘ତିନି ଦଶନ୍ଧିର ଓଡ଼ିଶା’। ଲେଖକ ତଥା ସାମ୍ଵାଦିକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ପୁସ୍ତକ ‘ ତିନି ଦଶନ୍ଧିର ଓଡ଼ିଶା’ ଆଜି ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି।

ଜଣେ ସାମ୍ଵାଦିକ କେବଳ ଜଣେ ସାହିତ୍ୟିକ ହୋଇପାରିବ ତାହା ନୁହେଁ ସେ ଜଣେ ଶ୍ରେଷ୍ଠ ଐତିହାସିକ ମଧ୍ୟ ହୋଇପାରିବ। ଲେଖାରେ ସତ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ସହିତ ଏହାର ସଠିକ୍‌ ବିଶ୍ଲେଷଣ ଜଣେ ସାମ୍ଵାଦିକ ହିଁ କରିପାରିବ ବୋଲି ପେନ୍‌ ଇନ୍‌ ବୁକ୍ସ୍‌ ପକ୍ଷରୁ ଜୟଦେବ ଭବନରେ ଠାରେ ଅନୁଷ୍ଠିତ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଆଲୋଚନ ଗ୍ରନ୍ଥ ‘ତିନି ଦଶନ୍ଧିର ଓଡ଼ିଶା’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମତବ୍ୟକ୍ତ କରିଛନ୍ତି। ୧୯୯୧ ମସିହାରୁ ୨୦୨୦ ପର୍ଯ୍ୟନ୍ତର ତିନି ଦଶନ୍ଧି ହେଉଛି ଓଡ଼ିଶା ରାଜନୀତିର ଏକ ଚମତ୍କାର ସମୟ। ଏହି ତିରିଶି ବର୍ଷ ମଧ୍ୟରେ ଓଡ଼ିଶାର ଅନେକ ବିକାଶ ହେବା ସହିତ ରାଜନୈତିକ ଉତ୍ଥାନ ଓ ପତନ ମଧ୍ୟ ଘଟିଛି। ଯାହାକି ଏହି ପୁସ୍ତକରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ତେଣୁ ଏହା ଉଭୟ ସାହିତ୍ୟିକ ଓ ଐତିହାସିକମାନଙ୍କ ପାଇଁ ଏକ ଉତ୍ତମ ପୁସ୍ତକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଥାକାର ଗୌରହରି ଦାସ ଯୋଗଦେଇ କେବଳ ପରୀ କାହାଣୀରେ ହିଁ ସମସ୍ୟାର ସମାଧାନ ଥାଏ। ଓଡ଼ିଶାର ରାଜନୀତି ଏକ ଆଧୁନିକ ବାସ୍ତବତା ଯାହାର ସମାଧାନ କଷ୍ଟକର। କାରଣ ଏହି ରାଜନୀତି କ୍ଷଣିକ ମଧ୍ୟରେ ପରିବର୍ତ୍ତନ ହୁଏ। ତେଣୁ ଅନ୍ୟ କିଏ ସମସ୍ୟାର ସମାଧାନ କରିବ ତାହା ନ ଭାବି ନିଜର ରାଜ୍ୟ ପ୍ରତି ଥିବା ଦାୟିତ୍ଵ ସଠିକ୍‌ ଭାବରେ ନିର୍ବାହ କଲେ ରାଜ୍ୟର ଉନ୍ନତି ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ଵାଦିକ ତଥା ସ୍ତମ୍ଭକାର ଶ୍ରୀରାମ ଦାଶ ଯୋଗଦେଇ ଏହି ତିନି ଦଶନ୍ଧିରେ ରାଜ୍ୟରେ ବହୁ ଗୁରୁତ୍ଵପୂର୍ଣ ଘଟଣା ଘଟିଛି। ଯେପରିକି ମହିଳାମାନଙ୍କୁ ୩୦ ପ୍ରତିଶତ ସଂରକ୍ଷଣ, ଉପମୁଖ୍ୟମନ୍ତ୍ରୀଙ୍କ ଶାସନ, ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁଦୃଢ଼ ଶାସନ ଆଦି ଘଟିଛି। ଏହି ପୁସ୍ତକରେ ଘଟଣାବଳୀଗୁଡ଼ିକ ସବିଶେଷ ତଥ୍ୟ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ତଥା ସାମ୍ଵାଦିକ ଚିତ୍ତରଞ୍ଜନ ଚିରଞ୍ଜିତ ନିଜ ପୁସ୍ତକ ଲେଖିବାର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ପେନ୍‌ ଇନ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।

Leave A Reply

Your email address will not be published.