Odisha Link
Bridging the Missing Links in Odisha

୮ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ସ୍ବାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ସମେତ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଏଥିରେ ସାମିଲ ଅଛି।

ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଆଜି ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।ସେଥିରେ ୬ଟି ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ୨ଟି ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଜଳସମ୍ପଦ ବିଭାଗର ଥିଲା।ଏଥିରେ ଅଧିକାଂଶ ପ୍ରସ୍ତାବ କ୍ୟାଡ଼ର ସଂଶୋଧନ ଓ ସେବା ସର୍ତ୍ତାବଳୀ ସଂକ୍ରାନ୍ତ।

ଦୀର୍ଘଦିନ ଧରି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ୫୦୪ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରିକୁ ନିୟମିତକରଣ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।ସେମାନଙ୍କ ଚାକିରି ନିୟମିତ ହେବା ଦ୍ୱାରା ରାଜ୍ୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକର ନିରନ୍ତର ବିତରଣ ଓ ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ସେବା(ଆଇସିଡିଏସ) କାର୍ଯ୍ୟକ୍ରମ ଅଧୀନରେ ଥିବା ସମାଜର ଅସୁରକ୍ଷିତ ଶିଶୁ ଓ ମହିଳାମାନଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ।

ଏହି ଚୁକ୍ତିଭିତ୍ତିକ ସୁପରଭାଇଜର ସଂଘ ଜରିଆରେ ମିଳିଥିବା ଦାବିପତ୍ର ଓ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଙ୍କୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର ହୋଇଛି।ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୮.୫୧ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।ଚାକିରିି ନିୟମିତ ହେବା ଫଳରେ ଗ୍ରାମାଂଚଳ ଓ ଆଦିବାସୀ ଅଂଚଳର ଶିକ୍ଷିତ ମହିଳାମାନେ ନିଷ୍ଠାର ସହ ସୁପରଭାଇଜର ଭାବେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣୀତ ହେବେ।

ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ଓ ଓଡ଼ିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ-୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ଏବେ ଅତିରିକ୍ତ ୩୯୯ଟି ନୂଆ ପଦବୀ ସୃଷ୍ଟି ହୋଇଛି । ଏବେ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ମୋଟ ୨୮୨୮୫ଟି ମୂଳ ପଦବୀ ରହିଛି ।

ସେହିପରି ଓଡ଼ିଶାରେ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଜଳ-ପାଣିପାଗ ତଥ୍ୟର ଏକ ବିସ୍ତୃତ ଭଣ୍ଡାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜଳସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ ।

Leave A Reply

Your email address will not be published.