Odisha Link
Bridging the Missing Links in Odisha

ଆଧୁନିକ ଓଡ଼ିଶାର ନବନିର୍ମାତା ଉତ୍ତୁଙ୍ଗ ପୁରୁଷ ବିଜୁ ପଟ୍ଟନାୟକ

ତାଙ୍କର ଅନେକ ନାମ- କଳିଙ୍ଗ ପୁତ୍ର, ଆଧୁନିକ ଖାରବେଳ, ସେ ପ୍ରବାଦ ପୁରୁଷ, ଇଣ୍ଡୋନେସିଆର ଭୂମିପୁତ୍ର। ଏତେ ସବୁ ସମ୍ମାନର ଅଧିକାରୀ ଜଣେ ମହାନାୟକ ହିଁ ହୋଇପାରିବେ। ତେବେ ସବୁରି ମୁହଁରେ ଗୋଟିଏ ନାମରେ ସେ ଥିଲେ ବେଶ୍‌ ପରିଚିତ, ‘ବିଜୁ ବାବୁ’। ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଆଜି ହେଉଛି ମାର୍ଚ୍ଚ ୫ ତାରିଖ, ଏହି ଯୋଗଜନ୍ମା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ।

୧୯୧୬ ମସିହା ଆଜିର ଦିନରେ ଲକ୍ଷ୍ମୀନାରାୟଣ ଏବଂ ଆଶାଲତା ପଟ୍ଟନାୟକଙ୍କ ଔରସରୁ ଜନ୍ମ ନେଇଥିଲେ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ। ବିଜୟାନନ୍ଦଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଜି.ନୂଆଗାଁ। ତେବେ ତାଙ୍କର ପାଠପଢ଼ା ହୋଇଥିଲା କଟକରେ। ଛାତ୍ର ଜୀବନରୁ ହିଁ ସାହସିକତାର ପରିଚୟ ଦେଇଥିଲେ ବିଜୁ ବାବୁ।

ସେ କଲେଜିଏଟ୍ ସ୍କୁଲରେ ପଢ଼ୁଥିବା ସମୟରେ ତାଙ୍କ ଘରପାଖ କିଲ୍ଲା ପଡ଼ିଆରେ ଗୋଟିଏ ଉଡ଼ାଜାହାଜ ଓହ୍ଲାଇଥିଲା। ଉଡ଼ାଜାହାଜକୁ ଦେଖିବାକୁ ପଡ଼ିଆରେ ବହୁ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଉଡ଼ାଜାହାଜ ନିକଟକୁ କାହାରିକୁ ଛାଡ଼ୁ ନ ଥିଲେ ଗୋରା ପୋଲିସ। ବିଜୁଙ୍କ ଇଚ୍ଛା ହେଲା ସେ ଉଡ଼ାଜାହାଜକୁ ଛୁଇଁବା ପାଇଁ। ଦୃଢ଼ ସଂକଳ୍ପମନା ବିଜୁ ଲୋକଙ୍କ ଭିଡ଼ ଠେଲି ପାଖକୁ ଯାଇ ଉଡ଼ାଜାହାଜଟିକୁ ଛୁଇଁ ଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋରା ପୋଲିସ ତାଙ୍କୁ ଚାବୁକ୍‌ରେ ପିଟିବାକୁ ଲାଗିଲେ। ତାଙ୍କ ଦେହରେ ନୋଳା ଫାଟିଗଲା। ସେହି ଦିନଠୁ ଜୀବନରେ ଦିନେ ବଡ଼ ପାଇଲଟ୍ ହେବାକୁ ଶପଥ ନେଇଥିଲେ ସେ। ସତକୁ ସତ ପରେ ଦେଶର ଜଣେ ନାଁକରା ପାଇଲଟ ହୋଇ ପାରିଥିଲେ ବିଜୁ ବାବୁ।

ବିଜୁ ବାବୁ ଉତ୍ତମ ଫୁଟବଲ୍ ଖେଳାଳି ଥିଲେ। ସେ ରେଭେନ୍ସା କଲେଜରେ ପଢୁଥିଲା ବେଳେ ତାଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକ କଟକ ମେଡ଼ିକାଲ କଲେଜରେ ପଢୁଥିଲେ। ଯେଉଁ ଦିନ ଉଭୟ କଲେଜ ମଧ୍ୟରେ ଫୁଟବଲ ମ୍ୟାଚ ହେଉଥିଲା, ସେଦିନ ଜର୍ଜ ଓ ବିଜୁଙ୍କ ଖେଳ ଦେଖିବାକୁ ଅଧିକ ଦର୍ଶକ ଆସୁଥିଲେ।

ଦୁଃସାହସିକ ଯୁବକ ବିଜୁ ପଟ୍ଟନାୟକ ସାଇକେଲରେ କଟକରୁ ପଞ୍ଜାବର ପେଶୱାର (ବର୍ତ୍ତମାନ ପାକିସ୍ତାନରେ) ଯାତ୍ରା କରିଥିଲେ। କଟକ ମଣି ସାହୁ ଛକର ଭ୍ରମର ସାହୁ ଏବଂ ତିନିକୋଣିଆ ବଗିଚାର ଅମର ଦେଙ୍କୁ ସାଙ୍ଗରେ ନେଇ ପଞ୍ଜାବର ପେଶୱାର ଯିବାକୁ ସ୍ଥିର କରିଥିଲେ। ତିନୋଟି ସାଇକେଲ ଧରି ତିନି ଜଣ ଯୁବକ କଟକ ସହରରୁ ବାହାରି ଚକ୍ରଧରପୁର, ରାଞ୍ଚି, ସାସାରାମ, ବନାରସ, କାନପୁର, ଆଗ୍ରା, ଦିଲ୍ଲୀ ଓ ଅମୃତସର ବାଟ ଦେଇ ପେଶୱାରରେ ପହଞ୍ଚିଥିଲେ।

ପାଇଲଟ୍ ଟ୍ରେନିଂ ଶେଷ ହେବା ପରେ ରୟାଲ ଇଣ୍ଡିଆ ଏୟାର ଫୋର୍ସରେ ପାଇଲଟ୍ ଭାବରେ ଚାକିରି ଆରମ୍ଭ କରିଥିଲେ ବିଜୁ ପଟ୍ଟନାୟକ। ବ୍ରିଟିଶ ସରକାରଙ୍କ ଅଧୀନରେ ଅଧିକ ଦିନ ଚାକିରି ନ କରିବାକୁ ସେ ଏକ ପ୍ରକାର ମନ ସ୍ଥିର କରି ସାରିଥିଲେ। ପରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କ ସହିତ ତାଙ୍କର ସାକ୍ଷାତ୍ ହୋଇଥିଲା। ଚାକିରି ନ ଛାଡ଼ି ମଧ୍ୟ ସ୍ୱାଧୀନତା ସଂଗ୍ରାମ ପାଇଁ ଲଢିହେବ ବୋଲି ଜୟପ୍ରକାଶ ତାଙ୍କୁ ବୁଝାଇ ଥିଲେ। ସେ ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗତିବିଧି ଉପରେ ବ୍ରିଟିଶ ପୋଲିସ ବାହିନୀ କଡ଼ା ନଜର ରଖୁଥିଲେ।

ସ୍ଥଳ ପଥରେ ଯିବା ଆସିବା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥିଲା। ସେମାନଙ୍କୁ ଆକାଶ ମାର୍ଗରେ ନେବା ଆଣିବାର ଗୁରୁ ଦାୟିତ୍ୱ ବହନ କଲେ ଯୁବ ପାଇଲଟ୍ ବିଜୁ ପଟ୍ଟନାୟକ। ସେ ତାଙ୍କ ବିମାନରେ ଜୟ ପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀ, ଅଶୋକ ମେହେଟ୍ଟା, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲେ। କିନ୍ତୁ ତାଙ୍କର ସେହି ଗୋପନ କାର୍ଯ୍ୟ ବେଶି ଦିନ ଲୁଚି ପାରିଲା ନାହିଁ। ସେ ଦିନେ ବ୍ରିଟିଶ ପୁଲିସ ହାବୁଡ଼ରେ ଧରା ପଡ଼ି ଯାଇଥିଲେ। ତାଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା। ନାନା ପ୍ରକାର ଶାରୀରିକ ନିର୍ଯାତନା ଦିଆଯାଇ ତାଙ୍କୁ ଲାଲକିଲ୍ଲା ଦୁର୍ଗରେ ବନ୍ଦୀ କରାଗଲା। ପରେ ତାଙ୍କୁ ଫିରୋଜପୁର ଓ ଅନ୍ୟାନ୍ୟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା ଜେଲ୍ ଭିତରେ ଥାଇ ମଧ୍ୟ ସେ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରୁଥିଲେ।

ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ମୁଣ୍ଡରୁ ବିମାନ ଚଳାଇବାର ନିଶା ଓହ୍ଲାଇ ନ ଥିଲା। ସେ ଗୋଟିଏ ପୁରୁଣା ଡାକୋଟା ବିମାନ କିଣି ମରାମତି କରି ଚଳାଉଥିଲେ। ଇଣ୍ଡୋନେସିଆରେ ସେତେବେଳେ ଡଚ୍ ଶାସନ ଥିଲା। ଇଣ୍ଡୋନେସିଆବାସୀ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ସଂଗ୍ରାମ ଚଳାଉଥିଲେ। ସେ ସଂଗ୍ରାମକୁ ଦମନ କରିବା ଉଦ୍ଦେଶ୍ୟରେ ଡଚ୍ ସରକାର ସବୁ ପ୍ରକାର ପଦକ୍ଷେପ ନେଇଥିଲେ। ରାସ୍ତାଘାଟ, ବିମାନ ବନ୍ଦର, ଜଳପଥ, ସ୍ଥଳପଥ ସବୁ ଡଚ୍ ସେନା ଦ୍ୱାରା କବଳିତ ଥିଲା। ବିପ୍ଳବୀମାନେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ଅଜଣା ଆଶଙ୍କାରେ କାଳାତିପାତ କରୁଥିଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ପରାମର୍ଶରେ ବିଜୁ ପଟ୍ଟନାୟକ ବାହାରିଲେ ଇଣ୍ଡୋନେସିଆର ବିପ୍ଳବୀ ନେତାମାନଙ୍କୁ ଉଦ୍ଧାର କରିବାକୁ। ବିଜୁଙ୍କ ଇଣ୍ଡୋନେସିଆ ଅଭିଯାନ ସମ୍ପର୍କରେ ଖବର ପାଇ ସାରିଥିଲେ ଡଚ୍ ସେନା। ସେଥିପାଇଁ ସେମାନେ ସତର୍କ ଥିଲେ। ବିଜୁ ପଟ୍ଟନାୟକ ଯେଭଳି ଇଣ୍ଡୋନେସିଆ ଭୂମି ସ୍ପର୍ଶ କରି ନ ପାରିବେ ସେଥିପାଇଁ ଡଚ୍ ସେନାଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏସବୁ ବ୍ୟବସ୍ଥାକୁ ଖାତିର ନ କରି ଦୁଃସାହସିକ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆରେ ପହଞ୍ଚିଥିଲେ ଏବଂ ସେ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାରଙ୍କୁ ସାଙ୍ଗରେ ଆଣି ଦିଲ୍ଲୀ ଫେରି ଆସିବାକୁ ସକ୍ଷମ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କର ସେ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ଏବଂ ପ୍ରତି ମୁହୂର୍ତ୍ତରେ ଜୀବନହାନୀର ଆଶଙ୍କା ଥିଲା। ଫେରିବା ସମୟରେ ତାଙ୍କ ଡାକୋଟା ବିମାନ ଉପରକୁ ଡଚ୍‌ବାହିନୀ ଗୁଳି ଚଳାଇଥିଲେ। ଚତୁର ବିଜୁ ପଟ୍ଟନାୟକ ସେମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ଇଣ୍ଡୋନେସିଆ ଅଭିଯାନ ବିଜୁ ପଟ୍ଟନାୟକଙ୍କୁ ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଦକ୍ଷ ପାଇଲଟ୍‌ର ସୁଖ୍ୟାତି ଆଣି ଦେଇଥିଲା। ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସ୍ୱାଧୀନ ହେଲା। ସେ ଦେଶବାସୀ ବିଜୁ ପଟ୍ଟନାୟକଙ୍କ ତ୍ୟାଗକୁ ଭୁଲି ପାରି ନ ଥିଲେ। ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଭୂମିପୁତ୍ର (Son of the soil) ଉପାଧି ପ୍ରଦାନ କରାଯାଇଥିଲା

ସାହସିକତାର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ। ପାକିସ୍ତାନ କାଶ୍ମୀର ଆକ୍ରମଣ କଲାବେଳେ ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ଭାରତୀୟ ସୈନିକମାନଙ୍କୁ ବିମାନରେ ଶ୍ରୀନଗରରେ ଅବତରଣ କରାଇ ପ୍ରଶଂସା ଅର୍ଜନ କରିଥିଲେ। ବିଜୁ ବାବୁ ଥିଲେ ପ୍ରଗାଢ଼ ଦେଶପ୍ରେମୀ।

ପ୍ରଥମ ସାଧାରଣ ନିର୍ବାଚନରେ ସେ ଗଞ୍ଜାମ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀ ଏବଂ ଦ୍ୱିତୀୟ ସାଧାରଣ ନିର୍ବାଚନରେ ସୋରତା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ। ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ୬୭ଟି ଆସନରେ ଜୟଯୁକ୍ତ ହୋଇଥିଲା ବେଳେ ଗଣତନ୍ତ୍ର ପରିଷଦ ମାତ୍ର ୩୧ଟି ଆସନ ଲାଭ କରିଥିଲା। ତେଣୁ କଂଗ୍ରେସ ସ୍ୱାଧୀନ ସଭ୍ୟମାନଙ୍କ ସମର୍ଥନରେ ଓଡ଼ିଶାରେ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା। କିନ୍ତୁ ୧୯୫୭ ଦ୍ୱିତୀୟ ସାଧାରଣ ନିର୍ବାଚନରେ କଂଗ୍ରେସ ଛପନଟି ଆସନ ଦଖଲ କରିଥିଲାବେଳେ ଗଣତନ୍ତ୍ର ପରିଷଦ ୫୨ଟି ସ୍ଥାନରେ ବିଜୟୀ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନ ତୁଳନାରେ ୨ୟ ସାଧାରଣ ନିର୍ବାଚନରେ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ମଧ୍ୟରେ ଆସନ ସଂଖ୍ୟା ଦୃଷ୍ଟିରୁ ବ୍ୟବଧାନ ୨୬ରୁ ଚାରିକୁ କମିଆସିବା ଫଳରେ ଉଭୟ ଦଳ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ୧୩ ଜଣ ସଭ୍ୟଙ୍କୁ ନିଜ ପଟକୁ ଆଣି ସରକାର ଗଠନ ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ।

ଏହି ସରକାର ଗଠନ ପ୍ରଚେଷ୍ଟାରେ ଅଧିକ ସଂଖ୍ୟକ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ହାସଲ କରି ଡ.ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିଥିଲା। ସ୍ୱାଧୀନ ସଭ୍ୟମାନଙ୍କ ସମର୍ଥନ ହାସଲ କରିବାରେ ବିଜୁ ପଟ୍ଟନାୟକଙ୍କର ଏକ ବଳିଷ୍ଠ ଭୂମିକା ଥିଲା। ତେଣୁ ସରକାର ଗଠନ ପରେ ଗଣତନ୍ତ୍ର ପରିଷଦର ନେତା ଶୈଳେନ୍ଦ୍ର ନାରାୟଣ ସିଂହଦେଓ କଂଗ୍ରେସ ଦଳରୁ କେତେଜଣ ସଭ୍ୟଙ୍କୁ ମନ୍ତ୍ରିତ୍ୱର ମୋହ ଦେଖାଇ ନିଜ ପଟକୁ ଆଣିବା ପାଇଁ ଯେତେବେଳେ ଉଦ୍ୟମ ଆରମ୍ଭ କରିଦେଲେ, ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହାର ସୁଯୋଗ ନେଇ ମହତାବଙ୍କ ମନ୍ତ୍ରିମଣ୍ଡଳର ଜଣେ ଉପମନ୍ତ୍ରୀ ଅନୁପ ସିଂହଦେଓ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହେବା ଲୋଭରେ କଂଗ୍ରେସ ଛାଡ଼ି ଗଣତନ୍ତ୍ର ପରିଷଦରେ ଯୋଗଦେବେ ବୋଲି ଘୋଷଣା କରିଦେଲେ। ତାଙ୍କ ଦେଖାଦେଖି କଂଗ୍ରେସ ବିଧାୟକ ମୋହନ ନାୟକ ଏବଂ ଘାସିରାମ ମାଝୀ କଂଗ୍ରେସ ଛାଡ଼ୁଥିବା ଖବର ମୁଖ୍ୟମନ୍ତ୍ରୀ ମହତାବଙ୍କୁ ଅଡୁଆରେ ପକାଇ ଦେଇଥିଲା।

ଅନୁପ ସିଂହଦେଓ ଥିଲେ କଳାହାଣ୍ଡି ରାଜପରିବାର ଜାମାତା। ତାଙ୍କୁ ଗଣତନ୍ତ୍ର ପରିଷଦର ନେତା କଳାହାଣ୍ଡି ମହାରାଜା ତାଙ୍କ ସରକାରୀ ବାସଭବନରୁ ନେଇ ସୁନ୍ଦରଗଡ଼ ରାଜା ଉଦିତ ନାରାୟଣ ସିଂହଦେଓଙ୍କ ଘରେ ଲୁଚାଇ ରଖିଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଉଡ଼ା ଖବର ଉପରେ ବିଶ୍ୱାସ ରଖି ପୋଲିସ ଉଦିତ ନାରାୟଣଙ୍କ ଘରେ ଖାନତଲାସ କରିବା ପାଇଁ ସାହସ କଲାନାହଁ। ଉପମନ୍ତ୍ରୀ ଅନୁପ ସିଂହଦେଓଙ୍କୁ ଉଦ୍ଧାର କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମହତାବ ଦୁଃସାହସୀ ବିଜୁ ପଟ୍ଟନାୟକ ଉପରେ ନ୍ୟସ୍ତ କରିଥିଲେ।

ମନ୍ତ୍ରୀ ଚୋରି କରି ଗଡ଼ଜାତ ରାଜାମହାରାଜମାନେ କଂଗ୍ରେସ ମନ୍ତ୍ରିମଣ୍ଡଳ ଭାଙ୍ଗିବା ଔଦ୍ଧତ୍ୟ ବିଜୁ ପଟ୍ଟନାୟକଙ୍କର ସହ୍ୟ ହେଲାନାହିଁ। ଖବରପାଇ ସେ ସୁନ୍ଦରଗଡ଼ ରାଜାଙ୍କ ବାରଣ ନ ମାନି ତାଙ୍କ ଘରେ ଜବରଦସ୍ତ ପ୍ରବେଶ କରିଥିଲେ। ଯେଉଁ ଘରେ ଅନୂପ ସିଂହଦେଓ ଭିତରପଟୁ କବାଟ ବନ୍ଦ କରି ରହିଥିଲେ, ସେହି ଘର ଦରଜାରେ ବିଜୁ ପଟ୍ଟନାୟକ ଧକ୍କା ଦେବା ଫଳରେ ଦରଜା ଖୋଲିଗଲା ଏବଂ ଭାରସାମ୍ୟ ରକ୍ଷା କରିନପାରି ଅନୁପ ସିଂହଦେଓ ଟିକେ ମୁହଁମାଡ଼ି ପଡ଼ିଯାଇଥିଲେ। ତାଙ୍କର ଏ ଶୋଚନୀୟ ଅବସ୍ଥା ଦେଖି ସୁନ୍ଦରଗଡ଼ ରାଜା ଏବଂ ତାଙ୍କର ଅନୁଗତ କର୍ମୀମାନେ ଅନୁପ୍ରବେଶକାରୀ ବିଜୁ ବାବୁଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ଜାମା ଚିରିଯାଇଥିଲା।

ପୋଲିସ କଳାହାଣ୍ଡି ମହାରାଜା, ସୁନ୍ଦରଗଡ଼ ରାଜା ଏବଂ ଗଣତନ୍ତ୍ର ପରିଷଦ ନେତା ହରିହର ପଟେଲଙ୍କୁ ଗିରଫ କଲାପରେ ଅନୁପ ସିଂହଦେଓ କଂଗ୍ରେସରୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିଲେ। ମହତାବଙ୍କ ମନ୍ତ୍ରିମଣ୍ଡଳ ପତନରୁ ରକ୍ଷା ପାଇଯାଇଥିଲା। ତା’ ପରଦିନ ଓଡ଼ିଶା ବିଧାନସଭାରେ ପୂର୍ବଦିନ ରାତିରେ ଘଟିଯାଇଥିବା ଘଟଣାକୁ ମହାଭାରତ ଯୁଦ୍ଧ ଶେଷରେ ହସ୍ତିନାପୁରର ଦୃଶ୍ୟ ସହିତ ତୁଳନା କରି ଇଂରାଜୀରେ ବିଜୁ ପଟ୍ଟନାୟକ ଯେଉଁ ଭାଷଣ ଦେଇଥିଲେ, ତାହା ଓଡ଼ିଶା ବିଧାନସଭା ଇତିହାସରେ ଏକ ଅବିସ୍ମରଣୀୟ ଭାଷଣର ମାନ୍ୟତା ଲାଭ କରିଥିଲା।

୧୯୯୩ ମାର୍ଚ୍ଚ ୫ରୁ ନିଜ ଜନ୍ମଦିବସକୁ ପଞ୍ଚାୟତି ରାଜ ଦିବସ ରୂପେ ପାଳିଥିଲେ ବିଜୁ ବାବୁ। ଏହି ଅବସରରେ ସେ ତାଙ୍କର ବକ୍ତବ୍ୟରେ କହିଥିଲେ- ‘ମୁଁ ସ୍ୱପ୍ନ ଦେଖୁଥିଲି ଏପରି ଏକ ଭାରତ ବର୍ଷ ଯେଉଁଠାରେ ଗଣତନ୍ତ୍ର କେବଳ ନିର୍ବାଚନ ସର୍ବସ୍ୱ ହେବନାହିଁ। ଏହା ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଘନିଷ୍ଠ ଭାବେ ସଂପୃକ୍ତ କରାଇବାର ଏକ ମାଧ୍ୟମ। ଗାଁ ଗଣ୍ଡା ହେଉଛି ଭାରତର ଆତ୍ମା। ମୋ ସ୍ୱପ୍ନର ଭାରତରେ ଗାଁ ଗହଳିରୁ ହିଁ ଗଣତନ୍ତ୍ର ଆରମ୍ଭ ହୋଇ କ୍ରମଶ ଉପରକୁ ପ୍ରସାରିତ ହୋଇଥାଏ’।

Leave A Reply

Your email address will not be published.