Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା ସରପଞ୍ଚଙ୍କ ଦରମା

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ସରପଞ୍ଚଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ଛୁଟି। ବର୍ଷକୁ ଅଧିକ ୧୦ଦିନ ସାମୟିକ ଛୁଟି ପ୍ରଦାନ କରାଯିବ। ପୂର୍ବରୁ ୧୫ ଦିନ ସାମୟିକ ଛୁଟି ପ୍ରଦାନ କରାଯାଉଥିଲା। ଏବେ ଏହା ବୃଦ୍ଧି କରି ୨୫ ଦିନ କରାଯାଇଛି।

ଅନ୍ୟପଟେ, ରାଜ୍ୟର ଆଶା କର୍ମୀଙ୍କ ବେତନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଶା କର୍ମୀଙ୍କ ମାସିକ ବେତନ ୪୫୦୦ ରୁ ୭୦୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି ହୋଇଥିଲା। ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି।

ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫,୦୦୦ ଟଙ୍କା ପାରିଶ୍ରମିକ ପାଇବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ।

ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Leave A Reply

Your email address will not be published.