Odisha Link
Bridging the Missing Links in Odisha

ନୟାଗଡ଼: ଧରାଶାୟୀ ଅରୁଣ ସୂତ୍ର

ଖଣ୍ଡପଡ଼ାରେ ପୁଣି ଟିକେଟ୍‌ ପାଇବେ ଅନୁଭବ!

ନୟାଗଡ଼: ବିଗତ ୨୪ ବର୍ଷର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ତୁଙ୍ଗ ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ଚିରାଚରିତ ସୂତ୍ର ପ୍ରଥମ ଥର ପାଇଁ ଦଳ ଦ୍ବାରା ଅଗ୍ରାହ୍ୟ ହୋଇଛି। ଜିଲ୍ଲାର ନୟାଗଡ଼ ସମେତ ଦଶପଲ୍ଲା ଓ ରଣପୁର ନିର୍ବାଚନ ମଣ୍ଡଳିରେ ଦଳ ପୁରୁଣା ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିବାବେଳେ ଖଣ୍ଡପଡ଼ାରେ ଅନୁଭବ ପଟ୍ଟନାୟକ ପୁଣି ଦଳୀୟ ଟିକେଟ୍‌ ପାଇବା ନେଇ ଆଶା ଉଜ୍ଜ୍ବଳ ହୋଇଛି।

୨୦୦୦ ମସିହାରେ ଓଡ଼ିଶା ରାଜନୀତିରେ ବିଜେଡିର ପ୍ରବେଶ ପରଠାରୁ ଜିଲ୍ଲାରେ ନୟାଗଡ଼କୁ ଛାଡ଼ି ବାକି ୩ ଗୋଟି ନିର୍ବାଚନ ମଣ୍ଡଳିରେ କୌଣସି ବି ପ୍ରାର୍ଥୀଙ୍କୁ ଦଳ ପୁନର୍ବାର ଟିକେଟ ଦେଇନାହିଁ। ନୟାଗଡ଼ ବିଧାୟକ ୨୦୦୪ରୁ ନିରବଚ୍ଛିନ୍ନ ଭାବରେ ଟିକେଟ୍‌ ପାଇ ଆସୁଥିବାବେଳେ ତାଙ୍କ ଚତୁର ଗୋଟିଚାଳନାରେ କେହି ବି ଦ୍ବିତୀୟ ବାର ଟିକେଟ୍‌ ପାଉନାହାନ୍ତି। ଜିଲ୍ଲାରେ ଅନ୍ୟ ନେତାଙ୍କ ଉତ୍‌ଥାନରେ ନିଜକୁ ଅସୁରକ୍ଷିତ ମଣୁଥିବା ଅରୁଣ ନିଜର ସ୍ଥିତିକୁ ଦୃଢ଼ କରିବା ଲକ୍ଷ୍ୟରେ ବାକି ତିନି ନର୍ବାଚନ ମଣ୍ଡଳିରେ କାହାକୁ ବି ସେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ କରାଇ ଦେଉନାହାନ୍ତି। ତେବେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ତିନି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସବୁଠି ବର୍ତ୍ତମାନର ବିଧାୟକଙ୍କୁ ପୁନର୍ବାର ସୁଯୋଗ ମିଳିଛି।

୨୦୦୦ ମସିହାରେ ଭାଗବତ ବେହେରା ଶେଷଥର ପାଇଁ ନୟାଗଡ଼ରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ୨୦୦୨ ମସିହାରେ ତାଙ୍କର ପତ୍ନୀ ବିଜେଡି ଟିକେଟରେ ନୟାଗଡ଼ରୁ ବିଧାୟିକା ହୋଇଥିଲେ। ୨୦୦୪ରେ ସେ ଆସନରୁ ଅରୁଣ ପ୍ରାର୍ଥୀ ହୋଇଥିଲେ ଏବଂ ଏଯାବତ ତାଙ୍କର ପ୍ରାର୍ଥୀତ୍ବ ଅପରିବର୍ତ୍ତିତ ରହିଛି।

ତେବେ ଅନ୍ୟ ୩ ନିର୍ବାଚନ ମଣ୍ଡଳିରେ କେହି ବି ନିରନ୍ତର ଭାବେ ବିଜେଡିରୁ ପ୍ରାର୍ଥୀ ହୋଇନାହାନ୍ତି। କେବଳ ରଣପୁରରେ ସତ୍ୟନାରାୟଣ ପ୍ରଧାନ ଗୋଟିଏ ପାଳି ବ୍ୟବଧାନରେ ଦ୍ବିତୀୟ ଥର ଟିକେଟ ପାଇଥିଲେ। ସେ ଏବେ ରଣପୁର ବିଧାୟକ ଥିବାବେଳେ ତାଙ୍କୁ ୨୦୨୪ ପାଇଁ ଦଳ ପୁଣି ପ୍ରାର୍ଥୀ କରିଛି।

ଦଶପଲ୍ଲାରେ ବର୍ତ୍ତମାନ ରମେଶ ବେହେରା ବିଧାୟକ ଥିବାବେଳେ ୨୦୨୪ ପାଇଁ ଦଳ ପୁଣି ତାଙ୍କୁ ପ୍ରାର୍ଥୀ କରିଛି। ଖଣ୍ଡପଡ଼ା ପାଇଁ ଏଯାଏଁ କାହାର ନାମ ଘୋଷଣା କରିନାହିଁ ବିଜେଡି। ବର୍ତ୍ତମାନ ସୌମ୍ୟରଂଜନ ପଟ୍ଟନାୟକ ସେଠାରୁ ବିଧାୟକ ଥିବାବେଳେ ତାଙ୍କୁ ବିଜେଡି ଦଳରୁ ବହିସ୍କାର କରିସାରିଛି। ତାଙ୍କ ପୂର୍ବରୁ ୨୦୧୪ରେ ଅନୁଭବ ପଟ୍ଟନାୟକ ଏଠାରୁ ବିଧାୟକ ହୋଇଥିଲେ। ୨୦୧୯ରେ ସେ ପ୍ରମୁଖ ଦାବିଦାର ଥିଲେ ହେଁ ତାଙ୍କୁ ଟିକେଟ ମିଳିନଥିଲା। ଏଥର ଜିଲ୍ଲାର ଅନ୍ୟ ତିନୋଟି ନିର୍ବାଚନ ମଣ୍ଡଳିରେ ପୁରୁଣା ବିଧାୟକଙ୍କୁ ଟିକେଟି ମିଳିଥିବାବେଳେ ଖଣ୍ଡପଡ଼ାରେ ପୁଣି ଅନୁଭବଙ୍କୁ ଟିକେଟ୍‌ ମିଳିବା ନେଇ ଆଶା ଉଜ୍ଜ୍ବଳ ହୋଇଛି।

Leave A Reply

Your email address will not be published.