Odisha Link
Bridging the Missing Links in Odisha

ବିଜେପି ଛାଡ଼ୁ ଛାଡ଼ୁ ବିଜେଡିରେ ମିଶିଲେ ଭୃଗୁ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏଥିସହିତ ଦଳଡିଆଁ ରାଜନୀତି ସାଙ୍ଗକୁ ଦଳୀୟ କନ୍ଦଳ ଏବେ ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ ଓଡ଼ିଶା ବିଜେପିକୁ ଲାଗିଛି ବଡ଼ ଝଟକା। ବିଜେପି ସହିତ ୨୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର। ବିଜେପି ଛାଡ଼ୁ ଛାଡ଼ୁ ସେ ବିଜେଡିରେ ସାମିଲ ହୋଇଛନ୍ତି।

ଏସବୁ ମଧ୍ୟରେ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶ୍ରୀ ସାହୁଙ୍କୁ ଦଳର ଉପସଭାପତି ନିଯୁକ୍ତ କରିବା ସହିତ ଦଳର ଇସ୍ତାହର କମିଟିର ଅଧ୍ୟକ୍ଷ ଭାବେ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ହୋଇଥିଲେ ପ୍ରାର୍ଥୀ। ବର୍ତ୍ତମାନ ନିର୍ବାଚନ ସମୟରେ ଭୃଗୁ ଦଳର ସକ୍ରିୟ ଭୂମିକାରେ ନଥିଲେ। ଭୃଗୁ ବିଜେପି ଛାଡ଼ିବା ପରେ ବିଜେଡିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି। ଏଥିସହିତ ସେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିଜ୍ଞ ବିଶାରଦ ମାନେ ଅନୁମାନ କରିଛନ୍ତି।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଭୃଗୁ ବକ୍ସିପାତ୍ର। ସେ ଚନ୍ଦ୍ରଶେଖର ସାହୁଙ୍କଠୁ ପ୍ରାୟ ୯୪ ହଜାର ଭୋଟରେ ପରାସ୍ତ ହୋଇଥିଲେ। ଚନ୍ଦ୍ରଶେଖର ସାହୁ ୪,୪୩,୮୪୩ ଭୋଟ ପାଇଥିବା ବେଳେ ଭୃଗୁ ବକ୍ସିପାତ୍ର ୩,୪୮,୯୯୯ ଖଣ୍ଡ ଭୋଟ ପାଇଥିଲେ।

ନିକଟରେ ବିଜେପି ଓଡ଼ିିଶାର ସମସ୍ତ ୨୧ ଲୋକସଭା ଓ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଯେଉଁଥିରେ ଭୃଗୁ ବକ୍ସିପାତ୍ରଙ୍କ ନାମ ରହିନଥିଲା। ଆଜି ଭୃଗୁ ବକ୍ସିପାତ୍ର ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିକଟକୁ ପଠାଇଛନ୍ତି। ସେ ଇସ୍ତଫାପତ୍ରରେ ଲେଖିଛନ୍ତି, ଦୁଃଖର ସହିତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ୨୩ ବର୍ଷ ଧରି ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ଦାୟିତ୍ବ ନିଷ୍ଠାର ସହ ତୁଲାଇଛି। କିନ୍ତୁ ଗତକିଛି ଦିନହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧ କଲି। ତେଣୁ ଆଗକୁ ବଢ଼ି ଲୋକଙ୍କର ସେବା କାର୍ଯ୍ୟ ବଜାୟ ରଖିବି। ତେଣୁ ଇସ୍ତଫା ଦେଉଛି ବୋଲି ଶ୍ରୀ ବକ୍ସିପାତ୍ର ଇସ୍ତଫାପତ୍ରରେ ଲେଖିଛନ୍ତି।

Leave A Reply

Your email address will not be published.