Odisha Link
Bridging the Missing Links in Odisha

ଅଂଶୁଘାତ ରୋକିବାକୁ ସରକାରଙ୍କ ପଦକ୍ଷେପ: ଖରାରେ କାମ କରିବେନି ଶ୍ରମିକ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ରୌଦ୍ରତାପ ଜନିତ ଅଂଶୁଘାତ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି। ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି।

ଏଥିସହିତ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ମହାନଗର କମିଶନରଙ୍କୁ ଏସ୍‌ଆର୍‌ସି ଅଫିସରୁ ଚିଠି କରାଯାଇଛି। ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଛକରେ ବିଶ୍ରାମ ଗୃହ, ଜଳଛତ୍ର ନଥିବା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ୩୯.୮ ସହ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ବର। କେନ୍ଦୁଝରରେ ୩୯.୨, ବାଲେଶ୍ବର, ଝାରସୁଗୁଡ଼ାରେ ୩୮ ଡିଗ୍ରୀ, ରାଉରକେଲାରେ ୩୭.୮, ଚାନ୍ଦବାଲି, ସମ୍ବଲପୁରରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୬.୬, ପୁରୀରେ ୩୨.୪, ପାରାଦୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.