Odisha Link
Bridging the Missing Links in Odisha

ଉପରମୁହାଁ ପାରଦ: ପର୍ଯ୍ୟାପ୍ତ ପରିମାଣରେ ଜଳଛତ୍ର ଖୋଲିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଏବେଠୁ ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହିକ୍ରମରେ ଅତିରିକ୍ତ ରିଲିଫ କମିଶନର ପଦ୍ମନାଭ ବେହେରା ରାଜ୍ୟର ୫ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା କହିଛନ୍ତି। ଗ୍ରୀଷ୍ମ ଲହରୀର ମୁକାବିଲା ପାଇଁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାର ଅନୁପାଳନ କରିବା ପାଇଁ ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଛକରେ ବିଶ୍ରାମ ଗୃହ, ଜଳଛତ୍ର ନଥିବା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ୩୯.୮ ସହ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ବର। କେନ୍ଦୁଝରରେ ୩୯.୨, ବାଲେଶ୍ବର, ଝାରସୁଗୁଡ଼ାରେ ୩୮ ଡିଗ୍ରୀ, ରାଉରକେଲାରେ ୩୭.୮, ଚାନ୍ଦବାଲି, ସମ୍ବଲପୁରରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୬.୬, ପୁରୀରେ ୩୨.୪, ପାରାଦୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.