ଲୋକପ୍ରିୟ ହେଉଛି ସି-ଭିଜିଲ୍ ଆପ୍; ନିର୍ବାଚନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା କ’ଣ ରହିଛି ଜାଣନ୍ତୁ…
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନ ବିଗୁଲ ମାତ୍ରକେ ନିର୍ବାଚନ ଆଚରଣବିଧି ସାରା ଦେଶରେ ଲାଗୁ ହୋଇସାରିଛି। ଏହା ପରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ସି-ଭିଜିଲ ଆପ୍ ଲୋକଙ୍କ ହାତରେ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି। ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୧୦୦ ମିନିଟ୍ ମଧ୍ୟରେ ପ୍ରାୟ ୮୯ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ସିଭିଜିଲ୍ ଆପ୍ ନିର୍ବାଚନୀ ତଦାରଖ ଏବଂ ପ୍ରଚାର ବିଶୃଙ୍ଖଳା ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଏବଂ ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ ବଣ୍ଟନ ବିଷୟରେ ଜଣାଇବା ପାଇଁ ଏହି ଆପ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ସିଭିଜିଲ୍ ହେଉଛି ଉପଭୋକ୍ତା-ଅନୁକୂଳ ଏବଂ ପରିଚାଳନା କରିବାକୁ ସହଜ ଆପ୍ଲିକେସନ୍, ଯାହା ସଚେତନ ନାଗରିକମାନଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ, ରିଟର୍ଣ୍ଣିଂ ଅଫିସର ଏବଂ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସହିତ ସଂଯୋଗ କରେ। ଏହି ଆପ୍ ବ୍ୟବହାର କରି ନାଗରିକମାନେ କିଛି ମିନିଟ୍ ମଧ୍ୟରେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନଯାଇ ରାଜନୈତିକ ଅସଦାଚରଣ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିପାରିବେ। ସିଭିଜିଲ୍ ଆପ୍ ରେ ଅଭିଯୋଗ ପଠାଯିବା ମାତ୍ରେ ଅଭିଯୋଗକାରୀଙ୍କୁ ଏକ ୟୁନିକ୍ ଆଇଡି ମିଳିବ, ଯାହା ଜରିଆରେ ବ୍ୟକ୍ତି ଜଣକ ନିଜ ମୋବାଇଲରେ ଅଭିଯୋଗ ଟ୍ରାକ୍ କରିପାରିବେ।
ଏକାସାଙ୍ଗରେ କାର୍ଯ୍ୟ କରୁଥିବା କାରକଗୁଡ଼ିକର ଏକ ତ୍ରିକୋଣ ସିଭିଜିଲକୁ ସଫଳ କରିଥାଏ । ଉପଭୋକ୍ତାମାନେ ରିୟଲ ଟାଇମରେ ଅଡିଓ, ଫଟୋ କିମ୍ବା ଭିଡିଓ ସଂଗ୍ରହ କରନ୍ତି ଏବଂ ଅଭିଯୋଗର ସମୟବଦ୍ଧ ପ୍ରତିକ୍ରିୟା ପାଇଁ ‘‘୧୦୦ ମିନିଟ୍’’ କାଉଣ୍ଟଡାଉନ୍ ସୁନିଶ୍ଚିତ କରାଯାଏ। ଆଚରଣ ବିଧି ଉଲ୍ଲଂଘନ ବିଷୟରେ ଜଣାଇବା ପାଇଁ ଉପଭୋକ୍ତା ସିଭିଜିଲରେ ସେମାନଙ୍କ କ୍ୟାମେରା ଅନ୍ କରିବା ମାତ୍ରେ ଏହି ଆପ୍ ସ୍ୱତଃସ୍ପୃତ ଭାବରେ ଏକ ଜିଓ-ଟ୍ୟାଗିଂ ଫିଚର୍ ସକ୍ଷମ କରିଥାଏ। ଏହାର ଅର୍ଥ ହେଉଛି ଫ୍ଲାଇଂ ସ୍କ୍ୱାଡ୍ ରିପୋର୍ଟ ହୋଇଥିବା ଉଲ୍ଲଂଘନର ସଠିକ ସ୍ଥାନ ଜାଣିପାରିବ ଏବଂ ନାଗରିକଙ୍କ ଦ୍ୱାରା ନିଆଯାଇଥିବା ଫଟୋକୁ ଅଦାଲତରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ। ନାଗରିକମାନେ ବେନାମୀ ଭାବେ ମଧ୍ୟ ଅଭିଯୋଗ ଜଣାଇପାରିବେ।
ନିର୍ବାଚନ ଆୟୋଗ କହିଛନ୍ତି ଯେ, ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ସି-ଭିଜିଲ ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ନିର୍ବାଚନ ଆୟୋଗ ଏକ ସରକାରୀ ବିଜ୍ଞପ୍ତିରେ କହିଛି ଯେ ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୯୯ପ୍ରଟିତସତରୁ ଅଧିକ ସମାଧାନ ହୋଇଛି ଏବଂ ପ୍ରାୟ ୮୯ପ୍ରତିଶତ ୧୦୦ ମିନିଟ୍ ମଧ୍ୟରେ ସମାଧାନ ହୋଇଛି।