Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ବିଧାନସଭାରୁ କିଏ? ଗଣେଶ୍ୱର ବେହେରାଙ୍କ ଦଳବଦଳ ପରେ ବଢ଼ିଲା ଚର୍ଚ୍ଚା..

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ କେନ୍ଦ୍ରାପଡ଼ା ଆସନରୁ ଏବେ ପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ ଭାବେ ଚୟନ କରାଯାଇନାହିଁ। କେନ୍ଦ୍ରାପଡା ବିଧାନସଭା ଆସନରୁ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ଚର୍ଚ୍ଚା ହେଉଥିବାବେଳେ ଗଣେଶ୍ୱର ବେହେରାଙ୍କ ଦଳବଦଳ ପରେ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ, କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପରେ ନିଜ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଶଙ୍ଖ ଭବନକୁ ଆସି ବିଜେଡିରେ ଯୋଗ ଦେଇଥିଲେ ଗଣେଶ୍ୱର ବେହେରା। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ବିଜେଡିରେ ସାମିଲ ହୋଇଥିଲେ।

ଗଣେଶ୍ୱର ବେହେରାଙ୍କୁ ଦଳରେ ସ୍ବାଗତ କରିବା ସହ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଗଣେଶ୍ୱର ଭାଇଙ୍କ ପାଇଁ ଯେଉଁ ଭଲ ପାଇବା ଅଛି, ତାହା ରହୁ, ଗଣେଶ୍ୱର ଭାଇ ଓଡ଼ିଶାର ଜଣେ ବିଶିଷ୍ଟ ନେତା। ତାଙ୍କ ଯୋଗଦାନ ବିଜେଡିକୁ ଆହୁରି ସଙ୍ଗଠିତ କରିବ ବୋଲି ସେ କହିଥିଲେ। ଏଥି ସହିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମଧ୍ୟ କହିଛନ୍ତି ଗଣେଶ୍ୱେର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା। ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି। ବିଶ୍ୱାସ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଏହାକୁ ଆହୁରି ତ୍ୱରାନ୍ୱିତ କରିବା ବୋଲି କହିଛନ୍ତି।

ଅନ୍ୟପଟେ, ଗଣେଶ୍ୱର ବେହେରା ବିଜେଡିରେ ଯୋଗ ଦେବା ପରେ ଟିକେଟ ଚର୍ଚ୍ଚାକୁ ନେଇ କେନ୍ଦ୍ରାପଡ଼ାରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗଣେଶ୍ୱର ବେହେରା ଅନେକ ଥର କେନ୍ଦ୍ରାପଡ଼ାରେ ନିର୍ବାଚନ ଲଢ଼ିଥିବାବେଳେ ଥରେ ମାତ୍ର ବାଜି ମାରିଥିଲେ। ଗତବର୍ଷ ମଧ୍ୟ ସେ ନିର୍ବାଚନ ଲଢ଼ିଥିବାବେଳେ ଲୋକଙ୍କ ସମର୍ଥନ ମିଳିନଥିଲା। ହେଲେ ଏଥର ଦଲବଦଳ ପରେ ବିଜେଡି ଯଦି ତାଙ୍କୁ କେନ୍ଦ୍ରାପଡ଼ା ଆସନରୁ ଟିକେଟ ଦିଏ, ତେବେ ଜୋରଦାର ଲଢ଼େଇ ହେବ ବୋଲି ରାଜନୀତିଜ୍ଞ ମତ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ାବାସୀ କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.