Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଜୋରଦାର ପ୍ରଚାର; ଏଥର କାହାକୁ ଭରସା କରିବେ ରାଜଧାନୀବାସୀ?

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କରିଛି।

ପୁଣି ଅପରାଜିତାଙ୍କ ନଜରରେ ଭୁବନେଶ୍ଵର ଲୋକସଭା ଆସନ..

ଗତ ୨୦୧୯ରେ ବିଜେପି ଟିକେଟରେ ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିବା ଅପରାଜିତା ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ବିଜେପି ଟିକେଟରେ ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଅପରାଜିତା ଷଡ଼ଙ୍ଗୀ ସାଂସଦ ହୋଇଥିଲେ। ଏଥର ପୁଣି ଅପରାଜିତାଙ୍କୁ ଟିକେଟ ଦେଇଛି ବିଜେପି। ଗତ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ଆସନରେ ପୂର୍ବତନ ଆଇପିଏସ ଅଧିକାରୀ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଅପରାଜିତା ଏବଂ ଅରୁପଙ୍କ ମଧ୍ୟରେ ଜୋରଦାର ରାଜନୈତିକ ଲଢ଼େଇ ହୋଇଥିଲା। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୨୩ ହଜାରରୁ ଅଧିକ ଭୋଟରେ ଅରୁପ ପଟ୍ଟନାୟକଙ୍କୁ ହରାଇଥିଲେ। ଚଳିତ ଥର ମଧ୍ୟ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଆଶାରେ ରହିଛନ୍ତି ଅପରାଜିତା। ଏଥିପାଇଁ ଜୋରଦାର ପ୍ରଚାର ଚାଲିଛି।

ଅନ୍ୟପଟେ, ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡା। ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡାଙ୍କ ଅଭିଯୋଗ ମୁତାବିକ, ଅପରାଜିତା ଯୁଗାଂଶୁଙ୍କୁ ଟିକେଟ ଦେବାକୁ ପ୍ରତିଶୃତି ଦେଇଥିଲେ। ହେଲେ ବିଜେପିରେ ସାମିଲ ହୋଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ଦେଇଛି ଦଳ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କ ଉପରେ ବର୍ଷିବା ସହ ଅସନ୍ତୋଷ ବଖାଣିଥିଲେ ଯୁଗାଂଶୁ। ସେ କହିଛନ୍ତି ସାଂସଦ ଅପରାଜିତାଙ୍କ ପ୍ରତିନିଧି ଭାବେ ସେ ଦୀର୍ଘବର୍ଷ ଧରି କାମ କରିଛନ୍ତି। ପ୍ରାର୍ଥୀ କରିବାକୁ ଅପରାଜିତା ତାଙ୍କୁ ପ୍ରତିଶୃତି ଦେଇଥିଲେ। ଏପରିକି ଗତ ୨୮ ତାରିଖରେ ଟିକେଟ ମିଳିବ ବୋଲି ସେ କହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନ୍ଯ ଦଳରୁ ନେତାଙ୍କୁ ଆଣି ରାତିଅଧିଆ ଡିଲ୍ କରି ଟିକେଟ ଦେଇଦେଲେ ବୋଲି ସେ ଅଭିଯୋଗ କରିଥିଲେ।

ଅପରାଜିତା ବନାମ ମନ୍ମଥ ରାଉତରାୟ..

ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ଆସନ ଜିତିଥିଲେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ହାରିବା ପରଠାରୁ ଭୁବନେଶ୍ଵର ଲୋକସଭା ଆସନ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି ବିଜେଡି। ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ସେ ଜଟଣୀ ବିଧାନସଭା କିମ୍ବା ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଆଉ ଏ ସବୁ ଚର୍ଚା ଭିତରେ ଭୁବନେଶ୍ଵର ଲୋକସଭା ଆସନ ଲାଗି ବିଜେଡି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ ବିଜେଡି ଖାତାକୁ ଆସିବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏଥର ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଭୁବନେଶ୍ଵର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ାକଡ଼ି ଟକ୍କର ହେବ। ଭୁବନେଶ୍ଵର ଲୋକସଭା ଆସନ ଦଲଖ ପାଇଁ ମନ୍ମଥଙ୍କ ଉପରେ ଶାସକ ଦଳ ଆସ୍ଥା ରଖିଛି। ତେବେ ରାଜଧାନୀ କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.