Odisha Link
Bridging the Missing Links in Odisha

ପ୍ରଚାର ମଇଦାନରେ ପ୍ରାର୍ଥୀ; ଏଥର ଏକାମ୍ରରୁ କିଏ ମାରିବ ବାଜି?

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସାରା ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶା ସମେତ ୪ଟି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜୁ ଜନତା ଦଳ ୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସେହିଭଳି ବିଜେପି, ବିଜେଡି ଓ କଂଗ୍ରେସ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କରୁଛନ୍ତି।

ଏସବୁ ମଧ୍ୟରେ ସବୁଠୁ ବେଶୀ ଚର୍ଚ୍ଚାର ବିଷୟ ପାଲଟିଛି ଭୁବନେଶ୍ୱର ବିଧାନସଭା ଆସନ। ରାଜଧାନୀ ଭୁବନେଶ୍ୱର ଏକାମ୍ର ବିଧାନସଭାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବିଜୁ ଜନତା ଦଳ ଭୁବନେଶ୍ୱର ଏକାମ୍ର ଆସନରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଟିକେଟ ଦେଇଛି। ସେହିଭଳି ବିଜେପି ବାବୁ ସିଂଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଭୁବନେଶ୍ୱର ଏକାମ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଏଥର ପୁଣିଥରେ ତାଙ୍କୁ ଭୁବନେଶ୍ୱର ବାସୀ ଭରସା କରି ମୋହର ମାରିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଭୁବନେଶ୍ୱର ଏକାମ୍ରରୁ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି। ଆଜି ସେ ସୁନ୍ଦରପଦାରେ ଚା’ ଖଟିରେ ଚା’ ପିଇବା ସହ ଭୋଟରଙ୍କ କଥା ହୋଇ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏଥର ଏକାମ୍ରରୁ କିଏ ମାରିବ ବାଜି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.