Odisha Link
Bridging the Missing Links in Odisha

ଏଥର କାହାକୁ ଭରସା କରିବେ କଟକ-ବାରବାଟୀ ବାସିନ୍ଦା?

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏସବୁ ଭିତରେ ସବୁଠୁ ବେଶୀ ଚର୍ଚ୍ଚା ବିଷୟ ପାଲଟିଛି କଟକ ବାରବାଟୀ ଆସନ। ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଓ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ତଥ୍ୟ ଅନୁସାରେ, ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରିଥିଲେ। ବିଜୁ ଜନତା ଦଳରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହୋଇଥିବାବେଳେ ସମୀର ଦେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତେବେ ଗତ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ମୋକିମ ବାଜି ମାରିଥିଲେ। ହେଲେ ଏଥର ମହମ୍ମଦ ମୋକିମଙ୍କ ନ୍ୟାୟିକ ଝଡ଼ ଶେଷ ହେବାର ନା ନେଉନି। ଯେଉଁଥିପାଇଁ କଟକ-ବାରବାଟୀ ଆସନକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

ଅନ୍ୟପଟେ, ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି। ଯାହା ସବୁଠୁ ରୋଚକ ଘଟଣା ପାଲଟିଛି। କାରଣ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ। ତା ପୂର୍ବରୁ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ପ୍ରକାଶ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ୨୦୧୪ ମସିହାରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି ଥିଲେ। ତେବେ ଏଥର ଶାସକ ଦଳ ବାରବାଟୀ ଆସନକୁ ମଜବୁତ କରିବା ପାଇଁ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବା ସ୍ପଷ୍ଟ ହୋଇଛି।

ସେହିଭଳି କଟକ-ବାରବାଟୀ ଆସନରୁ ବିଜେପି ଏଯାବତ କାହାକୁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଚର୍ଚ୍ଚିତ ଅଭିନେତା ଅନୁଭବ ଓ ଅରିନ୍ଦମଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ତେବେ ଏ ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଆଗାମୀ ଦିନରେ କଟକ-ବାରବାଟୀ ଆସନରୁ କାହାକୁ ଦଳ ନିଜର ଯୋଦ୍ଧା ଭାବେ ବାଛିବ ତାହା ଦେଖିବାକୁ ବାକି ରହିଥିବାବେଳେ ଜନତା କାହାକୁ ବିଶ୍ୱାସ କରିବେ ତାହା ଦେଖିବାକୁ ଅପେକ୍ଷା ରହିଲା।

Leave A Reply

Your email address will not be published.