Odisha Link
Bridging the Missing Links in Odisha

ସମ୍ବଲପୁର ବିଜେପି ସାଂସଦଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ୍‌

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ଓଡ଼ିଶା ବିଧାନସଭା ଆସନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ ନିର୍ବାଚନ ଭଳି ଏଥର ମଧ୍ୟ ୨ଟି ଆସନରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏଥର ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ଦୁଇଟି ଆସନରେ ପ୍ରାର୍ଥୀ ଅଦଳବଦଳ କରିଛି ଦଳ। ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରେଢ଼ାଖୋଲ ଟିକେଟ୍‌ ଦେଇଥିବା ବେଳେ ରେଢ଼ାଖୋଲ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ ଦେଇଛି ଦଳ। ସେହିପରି ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁର ଆସନ ପାଇଁ ବର୍ଷା ସିଂ ବରିହାଙ୍କୁ ଟିକେଟ ଦେଇଛି ଦଳ।

ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତି ଦେବୀ ଗତକାଲି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ଦେବଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ଦଳ।

ସୂଚନା ଅନୁସାରେ, ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଗତକାଲି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ। ଏହି ସମୟରେ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.