Odisha Link
Bridging the Missing Links in Odisha

‘ମୋ ବାପା କଂଗ୍ରେସରେ ଥିଲେ, ମୁଁ ଦଳକୁ ଫେରିଥିବାରୁ ଖୁସି’

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ହିତରେ କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ। କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗ ଦେବା ପରେ ସେ କହିଛନ୍ତି, ବାପା କଂଗ୍ରେସ ଥିଲେ, ମୁଁ କଂଗ୍ରେସରେ ଯୋଗ ଦେଇ ଖୁସି ଅନୁଭବ କରୁଛି। କେନ୍ଦ୍ରାପଡ଼ାରୁ ଆସନରୁ ପ୍ରାର୍ଥୀ ନେଇ ଆଶାବାଦୀ ଥିବା ସେ କହିଛନ୍ତି।

ଅନ୍ୟପଟେ, ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଏହାରି ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ। ହେଲେ ସବୁଠୁ ରୋଚକ ତଥ୍ୟ ପାଲଟିଛି କେନ୍ଦ୍ରାପଡ଼ା ବିଧାନସଭା ଆସନ। ରାଜ୍ୟର ତିନି ପ୍ରମୁଖ ଦଳ ଏଯାବତ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି। ହେଲେ ଏଯାଏଁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।

ବିଜେଡିର ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଚାର ମଇଦାନରେ ନଜର ଆସୁଥିବାବେଳେ ଗଣେଶ୍ୱର ବେହେରାଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ଅନ୍ୟପଟେ, ଗଣେଶ୍ୱର ବେହେରା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ସେ ବିଜେଡିରୁ ବିଧାୟକ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ହେଲେ ଗଣେଶ୍ୱର ବେହେରା ବିଜୁ ଜନତା ଦଳରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ରାଜନୀତିରେ କନ୍ଦଳ ସୃଷ୍ଟି ହୋଇଥିବା ସାମ୍ନାକୁ ଆସିଥିଲା।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଗଣେଶ୍ୱର ବେହେରା ଗୋ ବ୍ୟାକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ପୂର୍ବରୁ ନିର୍ବାଚନରେ ବାଜି ମାରିଥିବା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ପୂର୍ବତନ ବିଧାୟକ କିଶୋର ତରାଇ ଗଣେଶ୍ୱର ବେହେରାଙ୍କୁ ବିରୋଧ କରିବାକୁ ଏକାଠି ହୋଇଥିବା ସାମ୍ନାକୁ ଆସିଥିଲା। ହେଲେ ଏଯାବତ ବିଜେଡି ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା ହୋଇନଥିବାବେଳେ ଆଜି ସିପ୍ରା ମାଲିକ ଦଳରୁ ମୁହଁ ଫେରାଇଛନ୍ତି। ତେବେ ଏହି ଆସନରେ କେବେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.