Odisha Link
Bridging the Missing Links in Odisha

ଆସନ୍ତାକାଲି ରଥଯାତ୍ରା ପାଇଁ ସମନ୍ବୟ କମିଟି ବୈଠକ; ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପାଇଁ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧକ୍ଷତାରେ ଦିନ ୧୧ଟାରେ ପୌରସଦନରେ ବୈଠକ ହେବ। ନିର୍ବାଚନ କମିଶନଙ୍କ ଅନୁମତି ନିଆଯାଇ ବୈଠକ ହେବାକୁ ଥିବାବେଳେ ରଥଯାତ୍ରା ସୁପରିଚାଳନା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

ଅନ୍ୟପଟେ, ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ଏହି ଦଉଡ଼ିକୁ ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ଶ୍ରୀଜିଉଙ୍କ ରଥ କାର୍ଯ୍ୟ ପାଇଁ କଟକ ଆସିଛି ରଥ କାଠ। କଟକ ସ୍ଥିତ କରତ କଳକୁ କାଠ ଚିରଟ ପାଇଁ ପଠା ଯାଇଛି। କାଠ ଚିରଟ ପରେ ରଥଯାତ୍ରା ପାଇଁ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ।

ସୂଚନା ଅନୁସାରେ, ପୂର୍ବରୁ ରଥଯାତ୍ରା ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସେହି ଅନୁଯାୟୀ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥକାଠ ସଂଗ୍ରହ, ରଥଖଳା ନିର୍ମାଣ, ରଥ ନିର୍ମାଣଠାରୁ ଆରମ୍ଭ କରି ରାସ୍ତାଘାଟ, ଡ୍ରେନେଜ୍‌ ଆଦିର ମରାମତି, ପରିବହନ, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ କରିବାକୁ କୁହାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଇନଶୃ୍ଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।

Leave A Reply

Your email address will not be published.