Odisha Link
Bridging the Missing Links in Odisha

କାହିଁକି ହେଲାନି ବିଜେଡି-ବିିଜେପି ମେଣ୍ଟ ? ଉତ୍ତର ରଖିଲେ ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା। ସେହିପରି ରାଜ୍ୟ ରାଜନୀତିର ପାରା ଊପରମୁହାଁ ହେବା ସହିତ ଉଷ୍ମ ହେବାରେ ଲାଗିଛି। ଦେଶର ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିିର୍ବାଚନ ଓ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଏସବୁ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିି ସାରିଥିବା ବେଳେ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି ସେହି ଉପରେ ମତାମତ ରଖିଛନ୍ତି ଅମିତ ଶାହ। ଯାହା ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି।

ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ ସହ ଏକ ସାକ୍ଷାତକାରରେ ଅମିିତ ଶାହ ମେଣ୍ଟ ପ୍ରସଙ୍ଗରେ ପ୍ରତ୍ରିକୟା ରଖିିଛନ୍ତି। ପ୍ରଶ୍ନକର୍ତ୍ତା ପଚାରଥିଲେ, ଓଡ଼ିଶାର ଭୋଟର୍‌ ଦ୍ବନ୍ଦ୍ବରେ ଅଛନ୍ତି ଯେ ବିଜେଡି ଓ ବିଜେପି ପରସ୍ପର ଭିତରେ ଲଢ଼ୁଛନ୍ତି ନା ସାଥୀ ହୋଇ ଅଛନ୍ତି ? ଉତ୍ତରରେ ଶ୍ରୀ ଶାହ କହିଥିଲେ, ଏଥିରେ ଦ୍ବନ୍ଦ୍ବ ଆସିଲା କେଉଁଠୁ? ଆମେ ବିଜେଡି ଓ ନବୀନ ବାବୁଙ୍କ ବିରୋଧରେ ସାମ୍ନାସାମ୍ନି ନିର୍ବାଚନ ଲଢ଼ୁଛୁ। ସେ ବି ଆମ ବିରୋଧରେ ଲଢ଼ୁଛନ୍ତି। ଏଥିରେ ଆଗ, ପଛ କିଛି ନାହିଁ।

ସେ ଆହୁରି କହିଛନ୍ତି, ଆମର ଦଳର କାର୍ଯକର୍ତ୍ତାମାନେ ଓଡ଼ିଶା ଭାଷା, ସଂସ୍କୃତି ଓ ଓଡ଼ିଶାର ଗୌରବ ପାଇଁ ଏକା ଲଢ଼ିବାକୁ ଦୃଢ଼ ମତ ରଖିଥିଲେ। କାର୍ଯ୍ୟକର୍ତ୍ତା ଓ ଓଡ଼ିଶାର ଜନତାଙ୍କ ଇଚ୍ଛା ଥିଲା। ଯାହାକୁ ନେଇ ଆମେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲୁ। ଏଥିସହିତ ସେ ଓଡ଼ିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ଓଡ଼ିଶାର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ଦାୟିତ୍ବ ଆମ ଦଳକୁ ଦିଅନ୍ତୁ। ଯେଉଁଠି ମୋଦି ସରକାର ରହିଛି ସେଠି ବିକାଶର ମାତ୍ରା ଅଧିକ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଆ ଭାଷା, ସଂସ୍କୃତି ପାଇଁ ଓଡ଼ିଶାରେ ବିଜେପି ଏକା ଲଢ଼ୁୁଛି ବୋଲି କହିଛନ୍ତି ଅମିତ ଶାହ।

Leave A Reply

Your email address will not be published.