Odisha Link
Bridging the Missing Links in Odisha

ନୀଳଗିରି ବିଧାନସଭା: ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ବାଲେଶ୍ୱର ଲୋକସଭା ଅଧିନସ୍ଥ ନୀଳଗିରି ବିଧାନସଭା ଆସନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଓଏଲ୍‌ ବ୍ୟୁରୋ:ବାଜି ସାରିଛି ନିର୍ବାଚନୀ ବିଗୁଲ।ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୀଳଗିିରି ରାଜନୀତି ପ୍ରତି ମୁହୁର୍ତ୍ତରେ ରୋଚକ ମୋଡ଼ ନେବାରେ ଲାଗିଛି। କାରଣ ନୀଳଗିରି ବିଧାନସଭା ଏଭଳି ଏକ ଆସନ ଯେଉଁଠି ରାଜ୍ୟର ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।ଯାହାଫଳରେ ଦ୍ୱନ୍ଦରେ ରହିଛନ୍ତି ଉଭୟ ନେତା ଓ ଜନତା। ଝୁଲନ୍ତା ଅବସ୍ଥାରେ ରହିଛି ନୀଳଗିରି ଆସନ।

ବାଲେଶ୍ୱର ଲୋକସଭା ଅଧିନସ୍ଥ ନୀଳଗିରି ବିଧାନସଭା ଆସନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାସକ ଦଳ ବିଜେଡି,ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟର ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ନୀଳଗିରି ଆସନରେ ଏବେ ଯାଏଁ ଟିକେଟ୍‌ ଝୁଲେଇ ରଖିଛନ୍ତି।

ନୀଳଗିରି ବିଜେପି ବିଧାୟକ ଠିକ୍‌ ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରି ବିଜେପିକୁ ବ୍ୟାକଫୁଟରେ ପକାଇ ଦେଇଛନ୍ତି। ଯାହା ନୀଳଗିରି ରାଜନୈତିକ ସମୀକରଣକୁ ଜଟିଳ କରି ଦେଇଛି। ଏକାଧିକ ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଅଙ୍କ ଛିଡୁନି। ଟିକେଟ୍‌ ଦୌଡ଼ରେ ସୁଷମା ବିଶ୍ବାଳ, ପ୍ରତାପ ରଥ, ତାପସ ମହାନ୍ତି ପ୍ରମୁଖ ଥିବା ଚର୍ଚ୍ଚା ହେଉଛି।

ସେହିପରି ବିଜୁ ଜନତା ଦଳ ପାଇଁ ନୀଳଗିରି ଆସନ ଅଡ଼ୁଆ ସୃଷ୍ଟି କରିଛି। କାରଣ ବିଧାୟକ ସୁକାନ୍ତ ନାୟକ ପଦ୍ମ ଛାଡି ଶଙ୍ଖ ଶିବିରରେ ମିଶିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।୯ରେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।ସୁକାନ୍ତ ଏବେ ପୁଣି ବିଜେଡିରେ ମିଶିବା ପରେ ଦଳରେ କନ୍ଦଳ ଦେଖାଦେଇଛି।ଉଭୟ ସୁକାନ୍ତ ଓ ସନ୍ତୋଷ ଟିକେଟ୍ ଆଶାୟୀ ଥିବା ବେଳେ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯାହା ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ପଡିଛି। କାରଣ ନୀଳଗିରି ରାଣୀ ମନୋଜମଂଜରୀ ଦେବୀ ଟିକେଟ୍ ଦୌଡରେ ଥିବା ଚର୍ଚ୍ଚା ହେଉଥିଲା। ହେଲେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚିଠି ଲେଖିବା ପରେ ପୁରୁଣା ନେତାଙ୍କ ମଧ୍ୟରେ ଟିକେଟ୍‌ ପାଇଁ ପ୍ରତିଯୋଗିତ ଚାଲିଛି।

Leave A Reply

Your email address will not be published.