Odisha Link
Bridging the Missing Links in Odisha

ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍‌ କନକ୍ଳେଭ ‘ସୋଆ ପ୍ରକ୍ସିମା -୨୦୨୪’ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍‌ କନ୍‌କ୍ଳେଭ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀର ୫ମ ସଂସ୍କରଣରେ ଦେଶର ବଛା ବଛା ପେସାଦାର ଯୋଗ ଦେଇ ବିଭିନ୍ନ ବିଷୟରେ ବୌଦ୍ଧିକ ଚର୍ଚ୍ଚା କରିଛନ୍ତି । ଗୋଟିଏ ଛାତ ତଳେ ଦେଶର ୧୦୦ରୁ ଅଧିକ ମାନବ ସମ୍ବଳ ବିଶେଷଜ୍ଞ, ଶିଳ୍ପ ବିଶେଷଜ୍ଞ ଓ ଅଭିଜ୍ଞ ପେସାଦାର ସଂପ୍ରତି ବୈଷୟିକ ଶିକ୍ଷା କେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେଉଛି ଏବଂ ତାକୁ କିଭଳି ସଫଳତାର ସହ ସାମ୍ନା କରାଯାଇ ପାରିବ ସେ ସଂପର୍କରେ ମାନସ ମନ୍ଥନ କରିଛନ୍ତି ।

ସୋଆ ପକ୍ଷରୁ ଆୟୋଜିତ ଏହି କନ୍‌କ୍ଳେଭରେ ଯୋଗ ଦେଇଥିବା ଅଭିଜ୍ଞ ବିଶେଷଜ୍ଞମାନେ ପ୍ରାୟ ୪୫୦୦ ଯୁବ ଟେକ୍‌ ଟାଲେଂଟଙ୍କ ସହ ଭାବ ବିନିମୟ କରିଥିଲେ । ସୋଆ
ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ୨ ଅଡିଟୋରିୟମ୍‌ରେ ଆୟୋଜିତ ଏହି କନ୍‌କ୍ଳେଭ ସୋଆ ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି ଦାୟିତ୍ୱ ତୁଲାଇବାରେ ସଫଳ ହୋଇଛି । ଏହି କନ୍‌କ୍ଳେଭ ବଦଳୁଥିବା ଦୁନିଆ ଓ ବୈଷୟିକ କୌଶଳ ସହ କେମିତି ଖାପ ଖୁଆଇବାକୁ ପଡ଼ିବ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଛି । ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାରେ ଏ କନ୍‌କ୍ଳେଭ ବେଶ ସହାୟକ ହୋଇଛି ।

‘ସୋଆ ପ୍ରକ୍ସିମା – ୨୦୨୪’ ର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଅଲ୍‌ ଇଣ୍ଡିଆ କାଉନ୍ସିଲ ଫର୍‌ ଟେକ୍ନିକାଲ୍‌ ଏଜୁକେସନ୍‌ (ଏଆଇସିଟିଇ) ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ। ଉଦ୍‌ଯାପନୀ ଉତ୍ସବରେ ମୁମ୍ବାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସଭାପତି (ଏଚ୍‌ଆର) ବିଜୟ କୁମାର ସାହୁ ଯୋଗ ଦେଇଥିଲେ । ଟାଟା ଇଂଟରନ୍ୟାନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡ. ସନ୍ଦୀପନ୍‌ ଚକ୍ରବର୍ତୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଏହି ସମ୍ମିଳନୀରେ କଗ୍ନିଜାଂଟର ଓଡ଼ିଶା ମୁଖ୍ୟ ସତୀଶ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

କନ୍‌କ୍ଲେଭ୍‌ରେ ଏଚସିଏଲ ଟେକ୍‌, କଗ୍ନିଜାଂଟ, ସିନୋପସିସ୍‌, ପିଡବ୍ଳ୍ୟସି ଇଣ୍ଡିଆ, ମାଷ୍ଟରକାର୍ଡ, ଡେଲଏଟ୍‌ ଇଣ୍ଡିଆ, ଜେପି ମୋର୍ଗାନ, ମାରୁତି ସୁଜୁକି, କଂଟିନେଟାଂଲ ଅଟୋମୋଟିଭ, ବ୍ରିଟିଶ ପେଟ୍ରୋଲିୟମ୍‌, ଲିନୋଭୋ, ମହିନ୍ଦ୍ରା କମ୍ଭିଭା, ଇମାମି ପେପର ମିଲ୍‌ସ ଓ ଗ୍ରାସିମ୍‌ ଭଳି ଶିଳ୍ପର ମାନବ ସମ୍ବଳ ବିଶେଷଜ୍ଞମାନେ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଷିୟକ ଶିର୍କ୍ଷାଥୀମାନେ ଖୁବ୍‌ ଶୀଘ୍ର ଏକ ନୂଆ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି । ତେଣୁ ନୂଆ ପରିସ୍ଥିତି ସହ ସେମାନଙ୍କୁ ଖାପ ଖୁଆଇବାର ଆବଶ୍ୟକତା ଉପରେ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିବା ସହ ସନ୍ଦେହ ଦୁର କରିଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନୂତନ ଶିକ୍ଷାନୀତିକୁ ସୋଆ ବିଶ୍ୱବିଦ୍ୟାଳୟ କିପରି ଗୁୁରୁତ୍ୱ ଦେଉଛି ସେ ବିଷୟରେ କହିଥିଲେ। ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନକୁ ଯୋଡିବା ପାଇଁ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେଉଛି ବୋଲି ପ୍ରକାଶ କରି ସୋଆ ଅନେକ ଶିଳ୍ପ ସହ ଯୋଡି ହୋଇ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ଅତିରିକ୍ତ ଡିନ୍‌ (ଛାତ୍ରମଙ୍ଗଳ) ଆଇଟିଇଆର୍‌ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ନିର୍ଦ୍ଦେଶକ ରୀପ୍ତି ରଂଜନ ଦାଶ  ସମ୍ମିଳନୀ ପରିଚାଳନା କରିବା ସହ ଉଦ୍‌ଯାପନୀ ଦିବସରେ ଧନ୍ୟବାଦ ଅର୍ପଣ କରିଥିଲେ ।