ଆକାଶରୁ ଅଗ୍ନି ବର୍ଷା! ଜଳୁଛି ଓଡ଼ିଶାର ୫୪ଟି ଜଙ୍ଗଲ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଭୀଷଣ ହେଉଛି ଗ୍ରୀଷ୍ମକୋପ। ଆକାଶରୁ ହେଉଛି ଅଗ୍ନିବର୍ଷା। ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷା। ଆଉ ଅନ୍ୟପଟେ ଜଙ୍ଗଲରେ ନିଆଁ। ମଣିଷଠାରୁ ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ, ସମସ୍ତେ ଏବେ ତ୍ରାହିତ୍ରାହି ଡାକିଲେଣି। ନିଆଁ ଯେଉଁଭଳି ଭାବେ ବଢ଼ିଚାଲିଛି ଆଗାମୀ ଦିନରେ ଜଙ୍ଗଲ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଆଜି ଦିନରେ ରାଜ୍ୟର ୫୭୯ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ବଡ଼ଧରଣର ବନାଗ୍ନିରେ ଓଡ଼ିଶା ପ୍ରଥମ ସ୍ଥାନରେ ପହଞ୍ଚିଛି।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦେଶରେ ୨୬୯ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୫୪ଟି ବନାଗ୍ନି ରହିଥିବା ବେଳେ ଛତିଶଗଡ଼ରେ ୪୫, ଉତ୍ତରାଖଣ୍ଡରେ ୩୮, ଝାଡ଼ଖଣ୍ଡରେ ୨୫, ମଧ୍ୟପ୍ରଦେଶରେ ୨୧, ମହରାଷ୍ଟ୍ରରେ ୧୫ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ନଜରକୁ ଆସିଛି। ନିଆଁ ଲାଗିବା ଦ୍ବାରା ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ଜୀବଜନ୍ତୁ ଜଙ୍ଗଲ ବାହାକୁ ଚାଲି ଆସିଥିବା ଖବର ମିଳିଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ଆହୁରି ଜଙ୍ଗଲ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଫଳରେ କିଛି ଜିଲ୍ଲାରେ ନିଆଁକୁ ଆୟତ କରାଯାଇଛି। ହେଲେ ଏବେବି ଅନେକ ସ୍ଥାନରେ ଜଙ୍ଗଲ ଜଳୁଥିବା ଜଣା ପଡିଛି।