Odisha Link
Bridging the Missing Links in Odisha

ନିର୍ବାଚନକୁ ନେଇ ସୋମ୍ୟଙ୍କ ବଡ଼ ବୟାନ; ଘସିପୁରା ଆସନକୁ ନେଇ ବଢ଼ିଲା ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ସୂଚନା ମିଳୁଥିବାବେଳେ ଗତକାଲି ସୋମ୍ୟ ପଟ୍ଟନାୟକଙ୍କ ବୟାନ ଏକ ସ୍ପଷ୍ଟ ଚିତ୍ର ସୃଷ୍ଟି କରିଛି। ଗତକାଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଘଟଗାଁ ତାରିଣୀଙ୍କ ଦର୍ଶନ କରିବା ପରେ ଉପସ୍ଥିତ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଘସିପୁରାରେ ବହୁଦିନ ହେଲା ଗୁଣ୍ଡାଗିରି, ଅତ୍ୟାଚାର, ଅନ୍ୟାୟ ଚାଲିଛି। ଲୋକେ ଏଠାରେ ଅତିଷ୍ଠ ହେଲେଣି। ଏହି ଅନ୍ୟାୟ ବିରୋଧରେ ଯେଉଁ ଯୁଦ୍ଧ ହେବ, ସେଥିରେ ଘସିପୁରାବାସୀଙ୍କ ସହିତ ଆଜିଠୁ ସାମିଲ ହେଲି।

ବିଧାନସଭା ପ୍ରାର୍ଥିତ୍ବ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଁ ବିଜେଡିରେ ଥିଲି। ଦିନେ ତାଙ୍କର ସଂପତ୍ତି ଥିଲି। କେତେବେଳେ ପୁଣି ବୋଝ ପାଲଟିଗଲି। ମୋତେ ସେମାନେ ଦଳରୁ ବହିଷ୍କାର କରିଛନ୍ତି। ଏହା ପରେ ଅନେକ ଦଳରୁ ମୋତେ ନିମନ୍ତ୍ରଣ ଆସିଛି। ତେବେ ପୂର୍ବରୁ ବନ୍ଧୁତା ଖାତିର୍‌ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବା ଲାଗି ଆଲୋଚନା କରିଛନ୍ତି।

ଯେହେତୁ ଘସିପୁରା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଏବଂ ସେ ଏଠାରୁ ଆଉ ଲଢ଼ୁନାହାନ୍ତି, ଏଣୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ, ମୁରବୀ, ସାଧାରଣସେବୀ ଏହି ଅଞ୍ଚଳରୁ ପ୍ରତିନିଧିତ୍ବ ପାଇଁ ଚାପ ପକାଉଛନ୍ତି। କୌଣସି ଗୋଟିଏ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମା’ ତାରିଣୀଙ୍କୁ ଭେଟି ପ୍ରାର୍ଥନା କରିଛି ଯେ ମୋତେ ନିଷ୍ପତ୍ତି ନେବା କ୍ଷେତ୍ରରେ ସଦ୍‌ବୁଦ୍ଧି ଦିଅନ୍ତୁ।

ଏହା ସହ ସୌମ୍ୟରଂଜନ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, ଆମେ ଓଡ଼ିଆ ଭାଷା, ଅସ୍ମିତା, ସ୍ବାଭିମାନ କଥା କହିଆସିଥିଲୁ। ମୋତେ ଆଶ୍ବସ୍ତ ଲାଗୁଛି ଯେ ଆଜି ସବୁ ନେତାମାନେ ଦଳମତ ନିର୍ବିଶେଷରେ ଏହି କଥା କହିଲେଣି। କିଏ କେଉଁ ଦଳରେ ବି ଥାନ୍ତୁ, ଜଣେ ଓଡ଼ିଆ ଭାବେ ଏହା ମୋତେ ଆନନ୍ଦିତ କରୁଛି। ଏହାଦ୍ବାରା ଓଡ଼ିଶା ଆଗକୁ ଯିବ। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରାର୍ଥିତ୍ବ ସଂପର୍କରେ ଦିନେ ଦୁଇଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ।

ହେଲେ ଆଜିଠୁ ମୁଁ ଆପଣମାନଙ୍କ ସହିତ ରହିଲି। ରାଜନୀତିରେ ହାରଜିତ୍‌ ଅଛି। ନିର୍ବାଚନରେ ଜଣେ ପ୍ରାର୍ଥୀ ଜିତିବ ଓ ଜଣେ ପରାଜିତ ହେବ। ମାତ୍ର ଯିଏ ପ୍ରାର୍ଥୀ ହେବାକୁ ଡରିଯିବ, ସେ ହାରିଯିବ। ତେଣୁ ସେ ପ୍ରାର୍ଥୀ ହେବାକୁ ଭୟଭୀତ ନୁ‌ହନ୍ତି ବୋଲି ସ୍ପଷ୍ଟ କରିଥିଲେ। ତେବେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏଭଳି ବୟାନ ପରେ ଘସିପୁରାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ଘଟଣାରେ ଏକ ପ୍ରକାର ସତ୍ୟତା ଦେଖା ଦେଇଛି। ତେବେ ଚଳିତ ବର୍ଷ ନିର୍ବାଚନରେ ସୌମ୍ୟରଂଜନ ପଟ୍ଟନାୟକ କେଉଁ ମାଷ୍ଟ୍ରରପ୍ଲାନ କରିବେ ତାହା ଦେଖିବା ବାକି ରହିଲା।

ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!

Leave A Reply

Your email address will not be published.