Odisha Link
Bridging the Missing Links in Odisha

ଶ୍ରମିକଙ୍କ ସମ୍ମାନ ପାଇଁ ଦିନଟିଏ; ଜାଣନ୍ତୁ କାହିଁକି ପାଳନ କରାଯାଏ ଶ୍ରମିକ ଦିବସ..

ଓଏଲ୍‌ ବ୍ୟୁରୋ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜିର ଦିନରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା। ପୁଞ୍ଜିପତି, ସାହୁକାର, ଖଣି ଓ କାରଖାନା ମାଲିକମାନେ ଶ୍ରମିକମାନଙ୍କୁ ନିଜ ଇଚ୍ଛା ମୁତାବକ ଅଧିକ ସମୟ ଖଟାଉଥିଲେ। ୧୮୭୭ ମସିହାରେ ଆମେରିକାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ।

୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଯୁଟ ହୋଇ ଆନ୍ଦୋଳନ କରିଥିଲେ। ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ପରେ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ୮ ଘଣ୍ଟା ଧାର୍ଯ୍ୟ କରାଗଲା। ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା। ଏହି ପ୍ରସ୍ତାବ ପାରିତ ହେବାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା।

ଏହାପରେ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରିବା ଆରମ୍ଭ ହୋଇଥିଲା। ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିଥିଲା। ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେଇ ଏହି ଶ୍ରମିକ ଦିବସ ପାଳିତ ହେଉଛି। ଏହା ଯେ କେବଳ ଶ୍ରମିକ ମାନଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଦରକାର।

Leave A Reply

Your email address will not be published.