Odisha Link
Bridging the Missing Links in Odisha

ରାଜ୍ୟରେ ହାଇଭୋଲଟେଜ୍ ପ୍ରଚାର; ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଏହି କ୍ରମରେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା ଓ ଖଡିଆଳରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି।

ଭବାନୀପାଟଣା ସଭା ପରେ, ବିମାନରେ ଖଡିଆଳ ଗସ୍ତ କରୁଥିବାବେଳେ ବରିଷ୍ଠ ନେତା ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ, ବିଜେପି ନେତୃମଣ୍ଡଳୀ ତାଙ୍କ ନିର୍ବାଚନୀ ଅଭିଭାଷଣରେ କହିଛନ୍ତି ଯେ, ଓଡିଶାରେ ଜୁନ୍‌ ୧୦ ତାରିଖରେ ବିଜେପି ଦଳ ସରକାର ଗଢିବ। ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖୁଛି।

ଭବାନୀପାଟଣା ଓ ଖଡିଆଳରେ ମୁଖ୍ୟମନ୍ତ୍ରୀ ତାଙ୍କର ଚିରାଚରିତ ନିରାଡମ୍ବର ଶୈଳୀରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ି ରାଜ୍ୟରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସଂପର୍କରେ ଲୋକଙ୍କ ମତାମତ ଲୋଡିଥିଲେ। ଉପସ୍ଥିତ ଜନତାଙ୍କ ସମବେତ ‘ହଁ’ ଧ୍ବନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ। ମମତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ନୂଆ-ଓ ଛାତ୍ରବୃତ୍ତି, କାଳିଆ, 5T ସ୍କୁଲ ରୂପାନ୍ତର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ–ଆଦି ସବୁ ଯୋଜନା ସଂପର୍କରେ ଜନତା ଅତି ଉତ୍ସାହର ସହ ସମ୍ମତି ଦେଇଥିଲେ।

ବିରୋଧୀ ଦଳର ବଡ ବଡ ପ୍ରତିଶୃତି ଉପରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ମିଛ କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନଙ୍କର ଓଡିଶା ପ୍ରତି ବା ଓଡିଶାବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ନିର୍ବାଚନ ସମୟରେ ତାଙ୍କର ଓଡ଼ିଶା କଥା ମନେ ପଡେ। ଉଭୟ ବିଧାନସଭା ଓ ଲୋକସଭା ପାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।

ସଭାରେ ଯୋଗ ଦେଇ ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯାହାକୁ ଚାହିଁବେ, ସିଏ ତାଙ୍କର ସେବା କରିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ତେଣୁ ସେ ତାଙ୍କର ସେବା କରୁଛନ୍ତି ଓ କରିଚାଲିବେ। ଆପଣମାନଙ୍କ ସହଯୋଗରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ। ଓଡ଼ିଶା ନୂଆ ଇତିହାସ ସୃଷ୍ଟି କରିବ। ଏହାପରେ ସେ କହିଥିଲେ ଯେ ଜୁନ ୯ ତାରିଖରେ ବିଜୁ ଜନତା ଦଳର ସରକାର ଶପଥ ଗ୍ରହଣ କରିବ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ସେ କହିଲେ ଯେ ଓଡିଶାରେ ୨୪ ବର୍ଷ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେପି ନେତା ମାନଙ୍କୁ ପଚାରନ୍ତୁ ସେମାନେ ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛନ୍ତି କି ? ସେମାନଙ୍କ ସବୁ କଥା ଛଳନାରେ ଭରପୁର। ବିଜେପି ନିର୍ବାଚନ ଇସ୍ତାହାର ଉପରେ ମନ୍ତବ୍ୟ ଦେଇ ସେ କହିଲେ ଯେ ଏଥିରେ ସେଭଳି ଗୁରୁତ୍ବପୂର୍ଣ୍ଣ କିଛି ନାହିଁ। ସେମାନଙ୍କ ଇସ୍ତାହାର ଅନୁଯାୟୀ ଚାଲିଲେ ଓଡିଶା ୨୦ ବର୍ଷ ପଛକୁ ଚାଲିଯିବ। ଉଦାହରଣ ଦେଇ ସେ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯେଉଁଠି ବି ଚାଲିଥିଲା ସେଠାରେ ଶାସନ ଭୁଷୁଡ଼ି ପଡ଼ିଛି। ତାଙ୍କର ତେଲ ସରିଗଲା ପରେ ଗାଡ଼ି ବନ୍ଦ ହୋଇଗଲା। ନବୀନ ଇଞ୍ଜିନ କେବେ ବି ବନ୍ଦ ହୋଇନାହିଁ କି ହେବନାହିଁ ।

ବି.ଏସ୍‍.କେ.ୱାଇ ଯୋଜନା ଉପରେ ମତାମତ ରଖି ସେ କହିଲେ ଯେ ଏହି କାର୍ଡ ହେଉଛି ଏଟିଏମ୍‍ କାର୍ଡ ପରି। ଏଥିରେ ଆପଣ ଆରାମ ରେ କ୍ୟାସଲେସ୍‌ ସେବା ପାଉଛନ୍ତି। ଚିନ୍ତା ନାହିଁ କି ଦକ ନାହିଁ। କିନ୍ତୁ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଇନସ୍ୟୁରାନ୍‍ସ କମ୍ପାନୀଦ୍ୱାରା କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ଭାଗ ବର୍ଷକୁ ମାତ୍ର ୩୦୦ କୋଟି। କିନ୍ତୁ ବି.ଏସ୍‍.କେ.ୱାଇ ରେ ଆମେ ସେତିକି ଟଙ୍କା ଗୋଟିଏ ମାସରେ ଲୋକଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରୁଛୁ। ତାପରେ ସେ କହିଥିଲେ ଯେ ବିଜେପି କହିଛି ନିର୍ବାଚନରେ ଜିତିଲେ ୧୦୦ ଦିନ ମଧ୍ୟରେ ବି.ଏସ୍‍.କେ.ୱାଇ ବନ୍ଦ କରିଦେବ, ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ କେହି ସ୍ୱପ୍ନରେ ଏହାକୁ ବନ୍ଦ କରିପାରିବେ ନାହିଁ।

Leave A Reply

Your email address will not be published.