ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ

ଓଏଲ୍ ବ୍ୟୁରୋ: ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଓ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡାନ୍ତ କରାଯାଇଛି।
ସୂଚନା ଅନୁସାରେ, ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହର ଚନ୍ଦନ ଯାତ୍ରା ପାଇଁ ନୀତିନିର୍ଘଣ୍ଟ ନିଶ୍ଚିତ ହୋଇସାରିଛି। ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ। ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ, ଅକ୍ଷୟ ତୃତୀୟ ଅବସରରେ ରଥ ଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ। ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣ ଏବଂ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ପୂଜା ଅର୍ଚନା କରାଯିବା ପରେ ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ।