Odisha Link
Bridging the Missing Links in Odisha

ଟି-୨୦ ବିଶ୍ୱକପ୍‌ ୨୦୨୪: ଚୂଡ଼ାନ୍ତ ଏକାଦଶରେ କିଏ ପାଇବ ସ୍ଥାନ, ଋଷଭ ନା ସାମସନ୍

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଚଳିତ ଥର ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ବିଶ୍ବକପ୍। ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରି ସାରିଛି ବିସିସିଆଇ। ତେବେ ଦଳରେ ୧୫ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ୪ଜଣ ଅତିରିକ୍ତ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଦଳରେ ୨ ଜଣ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ଙ୍କୁ ସ୍ଥାନ ମିଳିଛି। ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ ଦଳରେ ସ୍ଥାନ ପାଇଛନ୍ତି। ତେବେ ଚୂଡ଼ାନ୍ତ ଏକାଦଶରେ କେଉଁ ଓ୍ବିକେଟକିପର ବ୍ୟାଟସମ୍ୟାନଙ୍କୁ ସୁଯୋଗ ମିଳିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏସବୁ ମଧ୍ୟରେ ବିଶ୍ବକପ୍‌ ବିଜୟୀ ଖେଳାଳି ଯୁବରାଜ ସିଂ ପ୍ରତିକ୍ରିୟା ରଖିଛନ୍ତି। ଏଥିସହିତ ଟିମ୍‌ କମ୍ବିନେସନ୍‌ କିଭଳି ରହିବା ଉଚିତ କହିଛନ୍ତି।

ଯୁବରାଜ ସିଂ କହିଛନ୍ତି, ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ। ବ୍ୟାଟିଂ ସମୟରେ ସବୁବେଳେ ବାମହାତୀ-ଡାହାଣହାତୀ ବ୍ୟାଟସମ୍ୟାନ୍‌ କମ୍ବିନେସନ ଦେଖିବାକୁ ପସନ୍ଦ କରିବି। ଯାହାଫଳରେ ବିରୋଧୀ ଦଳର ବୋଲର ମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ମୁଁ ଚାହିଁବି ଯେ ରୋହିତ ଶର୍ମା ଓ ଯଶସ୍ବୀ ଜୈଶଓ୍ବାଲ ଭାରତୀୟ ଦଳର ପକ୍ଷରୁ ଇନିଂସ ଆରମ୍ଭ କରିବା ଉଚିତ୍। ବାମହାତୀ-ଡାହାଣହାତୀ କମ୍ବିନେସନ ଦେଖିବାକୁ ମିଳିବ। ତାପରେ ତୃତୀୟରେ ବିରାଟ କୋହଲି ଓ ୪ର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ଚାହେଁ ବୋଲି ଯୁବରାଜ କହିଛନ୍ତି। ତାପରେ ଆହୁରି ବଡ଼ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଆପଣ ଯେଉଁ ପୋଜିଶନରେ ବି ଖେଳେଇ ପାରିବେ।

ସେହିପରି ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ପ୍ରସଙ୍ଗରେ ଯୁବରାଜ କହିଛନ୍ତି, ସଞ୍ଜୁ ସାମସନ ଓ ଋଷଭ ପନ୍ତ ଦମଦାର ଫର୍ମରେ ଅଛନ୍ତି। ହେଲେ ମୁଁ ପନ୍ତଙ୍କ ସହିତ ଯିବାକୁ ପସନ୍ଦ କରିବି କାରଣ ସେ ଜଣେ ବାମହାତୀ ବ୍ୟାଟସମ୍ୟାନ୍। ପନ୍ତ ଖେଳିବା ଦ୍ବାରା ଦଳରେ ବାମହାତୀ-ଦକ୍ଷିଣହାତୀ କମ୍ବିନେସନ ଠିକ୍‌ଠାକ୍‌ ରହିବ। ପନ୍ତଙ୍କ ପାଖରେ ମ୍ୟାଚ୍‌କୁ ବିଜୟୀ କରିବାର କ୍ଷମତା ରହିଛି। ଯାହା ସେ ପୂର୍ବରୁ କରି ସାରିଛନ୍ତି ବୋଲି କହିଛନ୍ତି ଯୁବରାଜ ସିଂ।

Leave A Reply

Your email address will not be published.