Odisha Link
Bridging the Missing Links in Odisha

ଗୌତମ ଗମ୍ଭୀର ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ! ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ଓଏଲ୍‌ ବ୍ୟୁରୋ: ରାହୁଲ ଦ୍ରାବିଡଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ? ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦବୀ ପାଇଁ ୩ହଜାରରୁ ଉର୍ଦ୍ଧ୍ବ ଆବେଦନ ପତ୍ର ପାଇଛି ଭାରତୀୟ କ୍ରିକେଟ ପରିଷଦ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦ ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀରଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି। ୪୨ ବର୍ଷିୟ ଗମ୍ଭୀର ଏହି ପଦ ପାଇଁ ଇଛୁକ ଥିବା ଜଣାପଡ଼ିଛି।

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମେ’ ୨୭ ତାରିଖରେ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦବୀ ପାଇଁ କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଗୌତମ ଗମ୍ଭୀର ଆବେଦନ କରିଥିବା ଜଣାପଡ଼ିଛି। ଏନେଇ କେକେଆରର ମାଲିକ ଶାହାରୁଖ ଖାନ ଜାଣିଛନ୍ତି। ବହୁତ ଶୀଘ୍ର ବିସିସିଆଇ ଗୌତମ ଗମ୍ଭୀରଙ୍କ ନାମ ଘୋଷଣା କରି ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସବୁଠୁ ବଡ଼କଥା ହେଲା ଏନେଇ ଗୌତମ ଗମ୍ଭୀର ଓ ବସିସିଆଇ ତରଫରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ। ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଫାଇନାଲ ମୁକାବିଲା ସରିବା ପରେ କୋଲକାତା ନାଇଟ୍‌ ରାଇଡର୍ସର ଜଣେ ମାଲିକ ଯିଏକି ବିସିସିଆଇର ଖୁବ ନିକଟତର। ନିଜ ନାମକୁ ଗୋପନ ରଖି କହିଛନ୍ତି ଗମ୍ଭୀର ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହେବା ପ୍ରାୟ ନିଶ୍ଚିତ ହୋଇ ସାରିଛି। ଖୁବଶୀଘ୍ର ଏନେଇ ଘୋଷଣା କରାଯିବ।