Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ ପାଇଁ ନୂଆ କୋଚ୍‌ ଖୋଜୁଛି ବିସିସିଆଇ, ଚର୍ଚ୍ଚାରେ ଗାଙ୍ଗୁଲିଙ୍କ ସୋସିଆଲ ମିଡିଆ ପୋଷ୍ଟ

ଓଏଲ୍‌ ବ୍ୟୁରୋ: କିଏ ହେବ ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ? ୨୦୨୪ ଟି-୨୦ ବିଶ୍ବକପ୍‌ ସରିବା ମାତ୍ରେ ଶେଷ ହେବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ଏସବୁ ମଧ୍ୟରେ ଉପଯୁକ୍ତ ବ୍ୟକ୍ତିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖୋଜିବା ଜାରି ରଖିଛି। ଏଥିପାଇଁ କୋଚ୍‌ ଚୟନ ପ୍ରକ୍ରିୟା ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଏପରି ସ୍ଥିତିରେ ବିସିସିଆଇ ଅନେକ ବରିଷ୍ଠ ଖେଳାଳିଙ୍କ ସହ ମୁଖ୍ୟ କୋଚ୍‌ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛି।

ବିଦେଶୀ ଅପେକ୍ଷା ବିସିସିଆଇ ଜଣେ ଭାରତୀୟଙ୍କୁ କୋଚ କରିବା ସପକ୍ଷରେ ରହିଛି। ଏଥିପାଇଁ ଗୌତମ ଗମ୍ଭୀର ଓ ଆଶିଷ ନେହରାଙ୍କ ଭଳି ପୂର୍ବତନ ଖେଳାଳିଙ୍କ ନାଁ ସବୁଠାରୁ ଆଗରେ ରହିଥିବା ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପରିବେଶଣ ହେଉଛି। ଏପରିକି ଗୌତମ ଗମ୍ଭୀର ଭାରତୀୟ ଦଳର ଆଗାମୀ ମୁଖ୍ୟ କୋଚ୍‌ ହୋଇ ପାରନ୍ତି ବୋଲି ଜଣେ ଆଇପିଏଲ୍‌ ଦଳର ମାଲିକ ମଧ୍ୟ ଗଣମାଧ୍ୟମ ଆଗରେ କହିଥିବା ସୂଚନା ରହିଛି। ବିସିସିଆଇ ମୁଖ୍ୟ କୋଚ୍‌ ପଦବୀ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ବାଛୁଥିବା ସମୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ଟ୍ବିଟ୍‌ କରିଛନ୍ତି। ଯାହା କୋଚ୍‌ ଚୟନ ପ୍ରକ୍ରିୟା ମଧ୍ୟରେ ଏକ ନୂଆ ଟ୍ବିଷ୍ଟ ଆଣିଛି।

ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏକ୍ସରେ ଲେଖିଛନ୍ତି, “ଜଣଙ୍କ ଜୀବନରେ କୋଚଙ୍କ ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଜଣେ କୋଚ୍‌ଙ୍କ ମାର୍ଗଦର୍ଶନ ଓ କଠୋର ଟ୍ରେନିଂ ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନ୍ଦର କରିଥାଏ। ଉଭୟ ପଡ଼ିଆ ଭିତରେ ଓ ବାହାରେ ଏହା ସହାୟକ ହୋଇଥାଏ। ତେଣୁ କୋଚ୍‌ ଓ ଇନିଷ୍ଟିଚ୍ୟୁସନ ଚତୁରାତର ସହ ଚୟନ କରନ୍ତୁ।”

ଗାଙ୍ଗୁଲିଙ୍କ ଏପରି ପୋଷ୍ଟ ଗୌତମ ଗମ୍ଭୀରଙ୍କ ଉଦ୍ଦେଶ୍ୟରେ ଥିବା ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। କାରଣ ଗମ୍ଭୀରଙ୍କ ମାର୍ଗଦର୍ଶନରେ କୋଲକାତା ତୃତୀୟ ଥର ପାଇଁ ୨୦୨୪ ଆଇପିଏଲ ଟ୍ରଫି ଜିତିଛି। କେକେଆର ଟ୍ରଫି ଜିତିବା ପରେ ମଧ୍ୟ ଗାଙ୍ଗୁଲି ଶୁଭେଚ୍ଛା ଜଣାଇ ନଥିଲେ। ଗମ୍ଭୀର କେକେଆରକୁ ବେଶ ସକାରାତ୍ମକ ଭାବେ ଆଗକୁ ନେଇଥିବାରୁ ଭାରତୀୟ ଟିମର ମୁଖ୍ୟ କୋଚ୍‌ ଭୂମିକା ମଧ୍ୟ ଠିକ ଭାବେ ତୁଲାଇ ପାରିବେ ବୋଲି ଅନେକ ମତ ରଖିଛନ୍ତି। ତେବେ ଗାଙ୍ଗୁଲିଙ୍କ ଏହି ପୋଷ୍ଟଟିରେ କିଛି ବି ସ୍ପଷ୍ଟ ଭାବେ ଲେଖି ନାହାନ୍ତି। ଯାହା ଏବେ ଭାରତୀୟ କ୍ରିକେଟ ଜଗତରେ ଆଲେଚନାର ବିଷୟ ପାଲଟିଛି।

Leave A Reply

Your email address will not be published.