ରାତି ପାହିଲେ ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ବିଭିନ୍ନ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର। ରାତି ପହିଲେ ପଡ଼ିବ ଭୋଟ। ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ପାର୍ଟି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଆସନ୍ତାକାଲି ମତଦାନ ହେବ। ଶେଷ ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ଦେବେ ଭୋଟ। ସେମଧ୍ୟରୁ ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।
ଅନ୍ତିମ ପର୍ଯ୍ୟାୟ ମତଦାନରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ଥଶ ହୋଇଛି। ୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯିବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି।
ଶ୍ରୀ ଧଳ ଆହୁରି କହିଛନ୍ତି, ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରାଜ୍ୟର ୮ଟି ଜିଲ୍ଲା ଅନ୍ତର୍ଗତ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ପୁରୀ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆସନ୍ତାକାଲି ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ରାଜ୍ୟରେ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ବିଜେଡି ପକ୍ଷରୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଥିଵାବେଳେ ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଆଣି ଓଡ଼ିଶାରେ ଘନ ଘନ ପ୍ରଚାର ଚଳାଇଥିଲା। ପ୍ରଚାରର ଶେଷ ଦିନରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।