Odisha Link
Bridging the Missing Links in Odisha

ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ଆସୁଛି ରାଜ୍ୟ ବଜେଟ୍। ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ୨୦୨୪-୨୦୨୫ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡ଼ାଇ, ଶଶିଭୂଷଣ ବେହେରାଙ୍କ ସମେତ ବହୁ ଅତିଥି ବୈଠକରେ ଭାଗ ନେଇଥିଲେ। ଉପସ୍ଥାପିତ ହେବାକୁ ଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ସହ ଆଲୋଚନା କରିବା ସହ ମତାମତ ଓ ପରାମର୍ଶ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଥିଲେ। ୨୦୨୪-୨୫ ବାର୍ଷିକ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।