ବଜେଟ୍ ୨୦୨୫କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଓଏଲ୍ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ। ଏହାପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟ୍ ୨୦୨୫କୁ ମଞ୍ଜୁରୀ ମିଳିଛି।
ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଟିମ୍ ସହ ରାଷ୍ଟ୍ରପତି ଭବନ ଯାଇଛନ୍ତି ଏବଂ ରାଷ୍ଟ୍ରପତିଙ୍କୁ ବଜେଟର ନକଲ ପ୍ରଦାନ କରିଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସେ ମନ୍ତ୍ରଣାଳୟକୁ ଫେରିଛନ୍ତି।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ପରିସରରେ ପୂର୍ବାହ୍ନ ୧୦ଟା ୧୫ରୁ ଆରମ୍ଭ ହୋଇଛି। ତାହା ୧୦ଟା ୪୦ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ବଜେଟକୁ ମଞ୍ଜୁରୀ ମିଳିଛି। ଏବଂ ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚିବେ। ଏହା ପରେ ବଜେଟ୍ ଉପସ୍ଥାପନା କରାଯିବ।
ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି। ତେବେ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ କ’ଣ କ’ଣ ରହିଛି, ତାହା ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହୋଇଯିବ। ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।