Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ସୁରକ୍ଷା ନେଇ ସମୀକ୍ଷା: ପୁରୀରେ ଜାତୀୟ ସୁରକ୍ଷା ଏଜେନସିର ସ୍ୱତନ୍ତ୍ର ଟିମ୍

ଓଏଲ୍‌ ବ୍ୟୁରୋ: ପୁରୀରେ ଜାତୀୟ ସୁରକ୍ଷା ଏଜେନସିର ସ୍ୱତନ୍ତ୍ର ଟିମ ଆଜି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି। ଟିମ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଗତକାଲି ଏହି ଟିମ ଦେଢ଼ ଘଣ୍ଟା ଧରି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ମଧ୍ୟ ଆଲୋଚନା କରିଥିଲା। ତେବେ ଆଗାମୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଏନଏସଜିର ଗସ୍ତ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଅନେକ ଗୁରୁତ୍ବ ବହନ କରୁଅଛି।

ଜିଲ୍ଲା ଓ ରାଜ୍ୟ ପୁଲିସ ପ୍ରଶାସନ ଏନଏସଜି ଟିମ୍ କୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ସଂପୂର୍ଣ୍ଣ ସହଯୋଗ କରିବା ସହ ଜିଲ୍ଲା ପୁଲିସ ପ୍ରଶାସନ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ନେଇ ତଥ୍ୟ ପ୍ରଦାନ କରିଅଛି। ଜମ୍ମୁ କଶ୍ମୀର ପହେଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଉଛି। ପୁରୀ ଚାରି ଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହୋଇଥିବାବେଳେ ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଏନଏସଜି ଟିମ୍ ପୁରୀରେ ଅଛନ୍ତି।

ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ଭକ୍ତ, ପର୍ଯ୍ୟଟକ, ସାଧାରଣ ଜନତା ଓ ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନଏସଜି ଟିମ୍ ପକ୍ଷରୁ ଏହି ଯାଞ୍ଚ କରାଯାଉଥିବା ଅନୁମାନ କରାଯାଇଅଛି। ତେବେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ତତ୍ ସଂଲଗ୍ନ ସାହି ଗୁଡ଼ିକର ଭୌଗଳିକ ପରିସ୍ଥିତି ସହ କେଉଁ କେଉଁ ସ୍ଥାନରେ ୱାଚ୍ ଟାୱାର ରହିଅଛି ସେ ସମ୍ପର୍କ ରେ ପୁରା ଯାଞ୍ଚ କରିଛନ୍ତି ଟିମ। ଶ୍ରୀମନ୍ଦିର ଆନ୍ତଃ ଓ ବାହ୍ୟ ପରିକ୍ରମା ମାର୍ଗରେ ସାଧାରଣ ଦିନ ଓ ରଥଯାତ୍ରା ସମୟରେ କେତେ ଲୋକେ ରୁଣ୍ଡ ହୋଇଥାନ୍ତି, ଶ୍ରୀମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ସେ ସବୁର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତିଏହି ଟିମ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ରହିଥିବା ପୁରୀ ଏସପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.