ଆଜି ମହାମହିମଙ୍କ ଜନ୍ମଦିନ, ଛୁଟୁଛି ଶୁଭେଚ୍ଛାର ସୁଅ..

ଓଏଲ୍ ବ୍ୟୁରୋ: ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଜନ୍ମଦିନ। ୧୯୫୮ ମସିହା ଜୁନ୍ ୨୦। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡ଼ାରେ ଜନ୍ମଗ୍ରହଣ କରିଥିବା ଏହି ପ୍ରଥମ ନାଗରିକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ। ଜୀବନରେ ଦୁଃଖ ପଡୋଶୀ ଓ ସୁଖ ପରଦେଶୀ ପାଲଟିଥିଲେ ବି ସେ କେବେ ହୋଇନାହାଁନ୍ତି ହତାଶ ଓ ନିରାଶ। ସର୍ବଦା ଉଜ୍ଜ୍ୱଳତମ ଚେତନାର ସନ୍ଧାନୀ ସିଏ। ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ୬୭ତମ ଜୟନ୍ତୀ ଅବସରରେ ତାଙ୍କୁ ପ୍ରଣାମ ଓ ଅଜସ୍ର ଅଭିନନ୍ଦନ।
ଶିକ୍ଷକରୁ ଭାରତର ପ୍ରଥମ ନାଗରିକ..
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଏହାପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ। ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ। ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା।
୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି। ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି। ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ। ଆଉ ଏବେ ମହାମହିମ ରାଷ୍ଟ୍ରପତି।