ବଡ଼ ଖବର: ଦଳୀୟ ପଦବୀ ଛାଡ଼ିଲେ ସୁର

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହା ପରେ ଦଳୀୟ ପଦବୀ ଛାଡ଼ିଲେ ସୁର ରାଉତରାୟ। ସମସ୍ତ କମିଟିରୁ ଇସ୍ତଫା ଦେଇଥିବାବେଳେ କଂଗ୍ରେସରେ ରହିଥିବା ଜଣା ପଡିଛି।
ଅନ୍ୟପଟେ, ବିଜେଡିରେ ଯୋଗ ଦେବା ପରେ ମନ୍ମଥ ରାଉତରାୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ବିଜୁ ବାବୁ ଓ ନବୀନ ବାବୁ ମୋ ଆଦର୍ଶ। ଏହା ସହ ସେ ଭାବବିହ୍ୱଳ ମଧ୍ୟ ହୋଇଛନ୍ତି। ବାପାଙ୍କ ଆଶୀର୍ବାଦ ନେଇକି ଆସିଥିବା ସେ କହିଛନ୍ତି।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ। ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏକ ବିସ୍ଫୋରକ ବୟାନ ଦେଇଥିଲେ। ଯାହା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି।
ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି ସେ କହିଥିଲେ। କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ କହିଥିଲେ। ଏହା ସହ ସେ କହିଥିଲେ, ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇଛି। ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କହିଥିଲେ।
ପୂର୍ବରୁ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ବଡ଼ ବୟାନ ଦେଇଥିଲେ। ସାନ ପୁଅ ନିର୍ବାଚନ ଲଢ଼ିବ ବୋଲି କହୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ। ହେଲେ ଏବେ ସାନ ପୁଅ ମନ୍ମଥ ରାଉତରାୟଙ୍କ ରାଜନୈତିକ ବୟାନ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା।