ସପ୍ତାହକରେ ୨ୟ ଥର ପାଇଁ ଓଡ଼ିଶା ଆସିବେ ରାହୁଲ

ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ହେଲେ ଫୋକସ୍ରେ ଓଡ଼ିଶା। କାରଣ ଏକାଥରେ ବିଧାନସଭା ଓ ଲୋକସଭା ଅନୁଷ୍ଠିତ ହେଉଛି। ରାଜ୍ୟ ନେତାଙ୍କଠୁ ଆରମ୍ଭ କରି କେନ୍ଦ୍ରୀୟ ନେତାଙ୍କ ସ୍କାନରରେ ଓଡ଼ିଶା। ଅନ୍ୟପଟେ ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁରୁ ସହର। ଗତକାଲି ସାଲେପୁରରେ ପ୍ରଚାର କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥଣେ ଓଡ଼ିଶା ଗସ୍ତରେ ଆସିବେ।
ମେ’ ୩ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ରାୟଗଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ରାହୁଲଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ। କେବଳ ସେତିକି ନୁହେଁ ମେ’ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି।
ସପ୍ତାହକ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି। ସୂଚନାଥାଉକି, ଗତକାଲି ସାଲେପୁରରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗ ଦେଇ ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।