Odisha Link
Bridging the Missing Links in Odisha

ଶାହଙ୍କ ଦୃଢ଼ୋକ୍ତି; ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ବିଶାଳ ରୋଡ୍‌ ଶୋ କରିବା ସହ ଫୁଲବାଣୀ, ବରଗଡ ଓ ବଲାଙ୍ଗୀରରେ ମାରାଥନ୍ ପ୍ରଚାର କରିଥିବାବେଳେ ଆଜି ରାଉରକେଲାରେ ଅମିତ ଶାହ ଜନସମାବେଶରେ ଯୋଗ ଦେଇଛନ୍ତି।

ରାଉରକେଲାରେ ବିଶାଳ ଜନସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହ। ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ଅମିତ୍ ଶାହ। ସେ କହିଛନ୍ତି, ନବୀନ ସରକାର ଆଉ ଆସିବାର ନାହିଁ। ନବୀନଙ୍କର ଆଉ ଆବଶ୍ୟକତା ନାହିଁ, ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି। ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀଙ୍କର ଓଡ଼ିଆଙ୍କ ପାଇଁ ଭଲ ପାଇବାକୁ ଦର୍ଶାଇବାକୁ ଯାଇ ଅମିତ୍ ଶାହ କହିଛନ୍ତି, ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି। ଜିପାଇକ ସଂଗ୍ରାମ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକଟ ପ୍ରଚଳନ କରିଛନ୍ତି ମୋଦି। ସେହିପରି କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ, ମନ୍ଦିର କଲେ। ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ। ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି।

ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ। ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି। ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ। ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ। ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିଯିବ। ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ।

ଚାଷୀଙ୍କ ଦୁର୍ଦ୍ଦଶା ବଖାଣିବାକୁ ଯାଇ କହିଛନ୍ତି, ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ। ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି। ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ। ସେହିପରି, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି। ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି।

ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା। ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ। ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ ବୋଲି କହିଲେ। ରତ୍ନଭଣ୍ଡାର ହିସାବ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ରତ୍ନଭଣ୍ଡାର ହିସାବ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦିଆଯିବ ବୋଲି ଶାହ କହିଛନ୍ତି।