Odisha Link
Bridging the Missing Links in Odisha

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା। ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ। ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନାବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ଼। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ମହାପ୍ରଭୁ।