ବିଦ୍ୟାର୍ଥୀଙ୍କ ସ୍ୱାର୍ଥ ସହ ସାଲିସ୍ ନାହିଁ: ଗଣଶିକ୍ଷାମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଯାଜପୁର ଚଣ୍ଡିଖୋଲ ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଛାତ୍ରାବାସ ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ସେଠାରେ କାନ୍ଥ ଫାଟିବାଠୁ ନେଇ ଅପରିଷ୍କାର ପରିବେଶରେ ବିଦ୍ୟାର୍ଥୀ ମାନେ ରହୁଥିବାର ନଗ୍ନ ଚିତ୍ର ମନ୍ତ୍ରୀଙ୍କ ନଜରରେ ଆସିଥିଲା। ତେବେ ଏହାକୁ ନେଇ ଆଜି ତାଙ୍କ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିବା ସହ ମନ୍ତ୍ରୀ ଲେଖିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିଦ୍ୟାର୍ଥୀ ମାନଙ୍କ ପାଇଁ ଛାତ୍ରାବାସର ପରିସ୍ଥିତି ଦେଖି ମତେ ବହୁତ କଷ୍ଟ ହୋଇଛି, ଯାହାକି ହୃଦୟ ବିଦାରକ। ମୋ ପିଲାଙ୍କ ସହିତ ଏପରି ଅନ୍ୟାୟ କଦାପି ଗ୍ରହଣ ଯୋଗ୍ୟ ନୁହେଁ। ଏଥି ସହିତ ମନ୍ତ୍ରୀ ଶ୍ରୀ ଗଣ୍ଡ ଯାଜପୁର ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ କାର୍ଯ୍ଯ ଆରମ୍ଭ ପୂର୍ବକ ସମସ୍ତ ବିବରଣୀ ବ୍ୟକ୍ତିଗତ ଭାବେ ନେବେ ବୋଲି ସୂଚନା ଦେଇଛନ୍ତି।
ସେହିପରି ପୂର୍ବ ସରକାରଙ୍କ ଏପରି ବିଦ୍ୟାର୍ଥୀ ଆଢୁଆଳ ନୀତିକୁ ମନ୍ତ୍ରୀ ସମାଲୋଚନା କରିବା ସହ ରାଜ୍ୟର କୌଣସି ସ୍ଥାନରେ ଏପରି ଚିତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ବିଦ୍ୟାର୍ଥୀ ମାନେ ହେଉଛନ୍ତି ତାଙ୍କ ପାଇଁ ଭଗବାନ ବିଶ୍ୱକର୍ମା ଏବଂ ବିକଶିତ ଓଡ଼ିଶାର ସୂତ୍ରଧର। ତେଣୁ ସେମାନଙ୍କ ପାଇଁ ସ୍ଵଚ୍ଛ, ନିର୍ମଳ ଓ ଉତ୍ତମ ପରିବେଶ ପଢ଼ିବା ପାଇଁ ଆବଶ୍ୟକ। ସମସ୍ତ ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀ ଏଥି ପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସେ ଲେଖିବା ସହ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ତାଗିଦ୍ କରିଛନ୍ତି।