ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାମାଭିଷେକ ନୀତି, ସାହିଯାତ୍ରାର ଅନ୍ତିମ ଦିନ

ଓଏଲ୍ ବ୍ୟୁରୋ: ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏକ ଅଙ୍ଗ ଭାବେ ଶ୍ରୀରାମଳୀଳାକୁ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ହେବା ସହ ଶ୍ରୀକ୍ଷେତ୍ରର ଆଠ ସାହିରେ ଯାତ ଅନୁଷ୍ଠିତ ହୋଇଥାଏ।
ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ ଓ ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳିଥାଏ। ପୁରୀର ଆଠ ସାହି ଆଖଡ଼ା ପକ୍ଷରୁ ଏହି ଯାତ ଅନୁଷ୍ଠିତ ହୋଇଥାଏ। ଯାତରେ ରାମଜନ୍ମ, ଯଜ୍ଞରକ୍ଷା, ସୀତା ବିବାହ, ପର୍ଶୁରାମଙ୍କ କଳାହରଣ, ଶ୍ରୀରାମଙ୍କ ବନବାସ, ଲଙ୍କାପୋଡ଼ି, ସେତୁବନ୍ଧ ପ୍ରତିଷ୍ଠା, ରାବଣ ବଧ ଏବଂ ରାମାଭିଷେକ ଲୀଳା ହୋଇଥାଏ। ତେବେ ଆଜି ସାହିଯାତ୍ରାର ଅନ୍ତିମ ଦିନରେ ଗୌଡ଼ବାଡ଼ ସାହି ପକ୍ଷରୁ ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା, ପାରମ୍ପରିକ ସମରକଳା ଆଦି ପରିବେଷଣ କରାଯିବ।