ଗୋଟିଏ ମଞ୍ଚରେ ଦୁଇ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନର ଦ୍ବିତୀୟ ଦିନରେ ଦୁଇ ପ୍ରତିଦ୍ବନ୍ଦ୍ବୀ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଛାତ୍ରଜୀବନରୁ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ଏହି ଦୁଇ ନେତା କିନ୍ତୁ ମଞ୍ଚରେ ବେଶ୍ ବନ୍ଧୁତା ପ୍ରଦର୍ଶନ କରିଥିଲେ। ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟତମ ପୁରାତନ ଛାତ୍ର ତଥା ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୋଟିଏ ମଞ୍ଚରେ ପାଖାପାଖି ଚଉକିରେ ବସିଥିଲେ।
ରାଜନୈତିକ ବା ନୀତିଗତ ବିଭେଦ ଭୁଲି ଉଭୟ ନେତା ବନ୍ଧୁତାର ନିଆରା ପରାକାଷ୍ଠା ଦେଖାଇଥିଲେ। ଛାତ୍ରଜୀବନର ସ୍ମୃତି ସବୁ ମନେପକାଇ ଉଭୟେ ଗପସପରେ ମାତିଥିବା ବେଳେ ଏହି ଦୃଶ୍ୟ ସେଠାରେ ଉପସ୍ଥିତ ହଜାର ହଜାର ଛାତ୍ର, ପୂରାତନ ଛାତ୍ର ଓ ଶିକ୍ଷକଙ୍କୁ ପ୍ରଭାବିତ କରିଥିଲା।
ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ କୁମାର ସାହୁ ଉଭୟେ ଛାତ୍ରଜୀବନରେ ବାଣୀବିବହାର ନିର୍ବାଚନରେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଅରୁଣ ବିଜୟ ଲାଭ କରିଥିବା ବେଳେ ଧର୍ମେନ୍ଦ୍ର ହାରି ଯାଇଥିଲେ।
ପରେ ଉଭୟ ଦୁଇଟି ଭିନ୍ନ ଭିନ୍ନ ଦଳରେ ରାଜନୀତି ଆରମ୍ଭ କରି ବର୍ତ୍ତମାନ ବେଶ୍ ପ୍ରତିଷ୍ଠିତ ନେତା ଭାବେ ଉଭା ହୋଇଛନ୍ତି।
ତେବେ ଗୋଟିଏ ମଞ୍ଚରେ ଏକାଠି ବସିବା ଏ ଦୁଇ ନେତାଙ୍କ ପାଇଁ ନୂଆ ନୁହେଁ। ଅତୀତରେ ବିଭିନ୍ନ ଉତ୍ସବରେ ସେମାନେ ଏକାଠି ହୋଇଛନ୍ତି।