ବନ୍ଦ ହୋଇପାରେ ଭୋଡାଫୋନ-ଆଇଡିଆ !

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ଫୋନ ବିନା ରହିବା ଅସମ୍ଭବ । ଟେଲିକମ୍ କମ୍ପାନୀଗୁଡିକ ଏଥି ନିମନ୍ତେ ଅନେକ ସୁବିଧା ଦେଇଥାନ୍ତି । ବେଳେବେଳେ ସେମାନଙ୍କୁ ଅନେକ ଋଣର ଭାର ମଧ୍ୟ ଉଠେଇବାକୁ ପଡ଼ିଥାଏ ।
ସେହିଭଳି ଭୋଡାଫୋନ-ଆଇଡିଆ ବର୍ତ୍ତମାନ ଅନେକ ଋଣ ଭାରରେ ଅଛି । ସରକାର ଦେଶର ଟେଲିକମ୍ କମ୍ପାନୀଗୁଡିକୁ ପ୍ରୋତ୍ସାହିତ ନକଲେ କମ୍ପାନୀଗୁଡିକ ବୁଡିଯିବ ବୋଲି ଭୋଡାଫୋନ-ଆଇଡିଆ ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ମତ ରଖିଛନ୍ତି। ବିର୍ଲା ସ୍ପଷ୍ଟ କରିଛନ୍ତି ଏହି କମ୍ପାନୀରେ ଅଧିକ ଟଙ୍କା ନିବେଶ କରିବେ ନାହିଁ ।
ପ୍ରୋତ୍ସାହନ ବିନା ଭୋଡାଫୋନ-ଆଇଡିଆ ଆଗକୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହେବ ବୋଲି ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମିଟ୍ ଅବସରରେ ବିର୍ଲା କହିଛନ୍ତି । ସେ ସୂଚନା ଦେଇଛନ୍ତି ସରକାରଙ୍କ ରିହାତି ନ ମିଳିଲେ କମ୍ପାନୀର ସ୍ଥିତି ଖରାପ ହେବ। ଫଳରେ ଏହା ଦେବାଳିଆ ସ୍ଥିତିକୁ ଚାଲିଯାଇପାରେ ଓ କମ୍ପାନୀ ଇନ୍ସଲଭେନ୍ସି ପ୍ରକ୍ରିୟାକୁ ଚାଲିଯିବ ।
ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଦେୟ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଡାଫୋନ-ଆଇଡିଆ ସରକାରଙ୍କୁ ୫୩ ହଜାର କୋଟି ଟଙ୍କା ଦେବାକୁ ପଡିବ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହି କମ୍ପାନୀ ୫୧ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହା ଦେଶର ଟେଲିକମ୍ ଶିଳ୍ପ ଇତିହାସରେ ଗୋଟିଏ ତ୍ରୈମାସରେ ସବୁଠାରୁ ବଡ କ୍ଷତି ବୋଲି ଜଣାପଡିଛି ।
ଭୋଡାଫୋନ-ଆଇଡିଆ ବାଦ୍ ଏୟାରଟେଲର ସ୍ଥିତି ମଧ୍ୟ ପ୍ରଭାବିତ ରହିଛି। ଦ୍ୱିତୀୟ ତ୍ରୈମାସରେ ଏହା ପ୍ରାୟ ୨୩ ହଜାର କୋଟି ଟଙ୍କାର କ୍ଷତି ସହିଛି। ଗୋଟିଏ ତ୍ରୈମାସରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି। ଦେଶର ଟେଲିକମ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟି ଟଙ୍କାର ବୋଝ ରହିଛି। ଏହି ଅର୍ଥ ସେମାନେ ସରକାରଙ୍କୁ ପ୍ରଦାନ କରିବେ। ସୁପ୍ରିମକୋର୍ଟ କମ୍ପାନୀଗୁଡିକୁ ସ୍ପେକ୍ଟ୍ରମ ଚାର୍ଜ, ଲାଇସେନ୍ସ ଫିସ୍ , ଏଜିଆର୍ ପାଇଁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟରେ ଏୟାରଟେଲର ପ୍ରାୟ ୬୨ ହଜାର କୋଟି ଏବଂ ଭୋଡାଫୋନ ଆଇଡିଆର ୫୪ ହଜାର କୋଟି ଟଙ୍କାର ବକେୟା ସାମିଲ ରହିଛି। ସରକାର କମ୍ପାନୀଗୁଡିକୁ ଦେୟ ଦାବା ପାଇଁ ୨ ବର୍ଷ ସମୟ ଦେଇଛନ୍ତି।
Comments are closed.