Odisha Link
Bridging the Missing Links in Odisha

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ବର:

ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ତେବେ ମାଟ୍ରିକ୍ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏବର୍ଷ ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି। ପରୀକ୍ଷା ଚାଲିଥିବା ବେଳେ ମୋବାଇଲରୁ ମୋବାଇଲକୁ ଘୂରିବୁଲିଥିବା ପ୍ରଶ୍ନପତ୍ର। ତେବେ କେଉଁ ପରୀକ୍ଷା କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ।

ଯଦିଓ ଏହାର ସତ୍ୟାସତ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ କିନ୍ତୁ ୫ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଯେ ଏହା ଏକ ପ୍ରକାର ଖେଳ ତାହା ହିଁ ଚର୍ଚ୍ଚା ହେଉଛି। ତେବେ ଗତବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା। ହେଲେ ଏତେ ସୁରକ୍ଷା ଭିତରେ କିଭଳି ପ୍ରଶ୍ନପତ୍ର ଲିକ୍ ହୋଇପାରିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେପଟେ ପରୀକ୍ଷା ଚାଲିଥିବା ବେଳେ କ୍ୟାପିଟାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ତେବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ସେ କିଛି ଜାଣିନାହାନ୍ତି। ଘଟଣା ସଂପର୍କରେ ତଦନ୍ତ କରାଯିବ। ଯଦି ଘଟଣା ସତ ହୋଇଥାଏ ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ପ୍ରଶ୍ନପତ୍ର ଭାଇରାଲ ଭଳି କୌଣସି ଘଟଣା ଘଟିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା ଶୃଙ୍ଖଳିତ ଢଙ୍ଗରେ ହୋଇଥିବା ବୋର୍ଡ ସଭାପତି ରାମାସିସ୍ ହାଜରା ସୂଚନା ଦେଇଛନ୍ତି।

Comments are closed.