ପୋଖରୀରୁ ମିଳିଲା ୨ ମୃତଦେହ

ଯାଜପୁର: ଯାଜପୁର ଟାଉନର ବରୁହାଁ ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି ପଡ଼ିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣଙ୍କ ନାମ ଅଭିଜିତ ଉପାଧ୍ୟାୟଓ ଅନ୍ୟ ଜଣେ ସୁଶିଲ ରାୟ ବୋଲି ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅଭିଜିତ ଏବଂ ସୁଶିଲ ଗତକାଲି ଘରୁ ନିଜର ବଜାଜ୍ ପଲସର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟରେ ଏକ ବଙ୍କାଣିଆ ରାସ୍ତାରେ କୌଣସି ମତେ ଭାରସାମ୍ୟ ହରାଇ ଦୁହେଁ ୨୦ଫୁଟ ଗଭୀର ପୋଖରୀ ଭିତରକୁ ପଶି ଯାଇଥିଲେ। ଘଟଣାଟି ରାତିରେ ଘଟିଥିବାରୁ ଏହାକୁ ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଜାଣିପାରି ନଥିଲେ। ତେବେ ଆଜି ସକାଳୁ କିଛି ଲୋକ ଗୋଟିଏ ହେଲମେଟ ଭାସୁଥିବା ଦେଖିବା ସହ ପୋଖରୀ କୂଳରେ ବାଇକ୍ ପଡିଥିବାର ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମାବାସୀଙ୍କ ସହାୟତାରେ ଖୋଜାଖୋଜି କରି ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରିଥିଲା ପୁଲିସ। ଏବେ ଯାଜପୁର ଟାଉନ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।