ଲକ୍ଡାଉନ୍: ବାହାରକୁ ଯିବାକୁ ଚେଷ୍ଟା କଲେ ଯୁବକ, ପୋଲିସ୍ ବାରଣ କରିବାରୁ କହିଲା ମୋତେ କରୋନା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି। ଏହି ସମୟରେ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ହେଲେ କେତେକ ଅଞ୍ଚଳରେ ଲକ୍ଡାଉନ୍ କଟକଣାକୁ ମାନୁ ନାହାନ୍ତି କିଛି ଲୋକ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ୍ ନିୟମ ଉଲଂଘନକାରୀଙ୍କୁ ଗିରଫ କରୁଛି। ଏପରି ଏକ ଖବର ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଅଞ୍ଚଳରୁ ଆସିଛି।
ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଲକ୍ଡାଉନ୍ ସମୟରେ ବାହାରକୁ ଯିବାକୁ ପ୍ରୟାସ କରୁଥିଲା। ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ ଅଟକେଇବାକୁ ପ୍ରୟାସ କଲେ। ହେଲେ ଛାତ୍ର ଜଣକ ସୁରକ୍ଷାକର୍ମୀଙ୍କୁ କହିଥିଲା କି, ମୋତେ କରୋନା ହୋଇଛି, ତୁମ ଉପରେ ଛେପ ପକାଇଦେବି। ଏହାପରେ ପୋଲିସ୍ ଉକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜୁ କରିଛି।
ଛାତ୍ର ଜଣଙ୍କ ନାମ ହେଉଛି ପ୍ରଣବ ମେନନ। ପ୍ରଣବଙ୍କ ନାମରେ ବସନ୍ତ କୁଞ୍ଜ ଉତ୍ତର ଥାନାରେ ମାାମଲା ରୁଜୁ ହୋଇଛି। ସୂଚନାଥାଉକି, ଏପ୍ରିଲ ୧ ତାରିଖ ରାତି ୮ଟାରେ ପ୍ରଣବ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ। ବିଶ୍ବବିଦ୍ୟାଳୟ ସୁରକ୍ଷାକର୍ମୀ ବାରଣ କରିବାରୁ ସେ ଗେଟ୍ ସମ୍ମୁଖରେ ବସିଥିଲେ।