ଜୁଲାଇ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ଓ ଲକ୍ଡାଉନ୍ କଟକଣା ପାଇଁ ବନ୍ଦ ଥିଲା ଦର୍ଶନୀୟ ସ୍ଥାନ। ହେଲେ ବର୍ତ୍ତମାନ ସାରା ଦେଶରେ ଅନ୍ଲକ୍-୨ କଟକଣା କାର୍ଯ୍ୟକାରୀ ହେଉଛି। ଏସବୁ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ଏଥିସହିତ ଜୁଲାଇ ୬ ତାରିଖରୁ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ଏହା ଭିତରେ ରହିଛି ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସ୍ ଆଇ।
ଜୁଲାଇ ୬ ତାରିଖରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ଖୋଲିବା ନେଇ ଖବର ପ୍ରକାଶ ପାଇଥିଲା। ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ପ୍ରତିଦିନ ମୋଟ ୨୫ ଶହ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ। ତେବେ ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଥିଲେ। ହେଲେ ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲିବନି ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ପାଇଁ ଏହି ଦର୍ଶନୀୟ ସ୍ଥାନଗୁଡ଼ିକ ୩ ମାସ ଧରି ବନ୍ଦ ରହିଛି।