ଓଡ଼ିଶା ଗଣଶିକ୍ଷା: ନବମ ଶ୍ରେଣୀ ଭୂଗୋଳ ଭ୍ରମାତ୍ମକ

ଭୁବନେଶ୍ବର: ଗୋଟିଏ ପଟେ କରୋନା ମାଡ଼ରେ ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। ଅନ୍ଲାଇନ୍ ପାଠପଢ଼ା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଉଥିଲେ ହେଁ ଅସଲରେ ଅନେକ ଛାତ୍ରଛାତ୍ରୀଙ୍କ ପିତାମାତା ସ୍ମାର୍ଟ ଫୋନ୍ କିଣିବା ଦୂରର କଥା, ଏଭଳି ସମୟରେ ବିଦ୍ୟୁତ୍ ବିଲ୍ ଦେବାକୁ ମଧ୍ୟ ଅସମର୍ଥ ହୋଇଛନ୍ତି। ଅନ୍ୟପଟେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନୂଆ ଭୂଗୋଳ ବହିରେ ଗୁରୁଚଣ୍ଡାଳ ତ୍ରୁଟି ଦେଖିବାବୁ ମିଳିଛି। ଓଡ଼ିଶା ରାଜ୍ୟ ବାବଦରେ ପିଲାଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି କରୁଛନ୍ତି ସରକାର।
ନବମ ଶ୍ରେଣୀ ନୂଆ ଭୂଗୋଳ ବହିର ପୃଷ୍ଠା ୧୮ରେ ଓଡ଼ିଶାର ଭୂଗୋଳ ବର୍ଣ୍ଣିତ ହୋଇଛି। ଏଥିରେ ପ୍ରଶାସନିକ ବିଭାଗରେ (ପ୍ରାଶାସନିକ ବୋଧହୁଏ ଶବ୍ଦ) ଲେଖାଯାଇଛି ଓଡ଼ିଶାରେ ୩୦ଟି ଜିଲ୍ଲା ଓ ୫୮ଟି ସବ୍ଡିଭିଜନ୍। ଠିକ କଥା। ଏହା ପରେ ଲେଖାଯାଇଛି- “ପ୍ରତ୍ୟେକ ସବ୍ଡିଭିଜନ୍ଗୁଡ଼ିକୁ ୧୭୧ଟି ତହସିଲରେ ବିଭକ୍ତ କରାଯାଇଛି।” ଏଇ ବାକ୍ୟରେ ରହିଛି ଏକାଧିକ ଗୁରୁଚଣ୍ଡାଳ ତ୍ରୁଟି। ଭାଷା ଦୃଷ୍ଟିରୁ ସବ୍ଡିଭିଜନ୍ ପାଖରେ ‘ଗୁଡ଼ିକ’ ବସିବନାହିଁ। ପ୍ରତ୍ୟେକ ସବ୍ଡିଭିଜନ୍କୁ ନହୋଇ ସବ୍ଡିଭିଜନ୍ଗୁଡ଼ିକୁ ମୋଟ ଏତିକି ତହସିଲରେ ବିଭକ୍ତ କରାଯାଇଛି ଲେଖାହେବା କଥା। ସବୁଠୁ ବଡ଼ ଭୁଲ ହେଲା ରାଜ୍ୟରେ ୧୭୧ ନୁହେଁ, ବରଂ ୩୧୭ଟି ତହସିଲ ରହିଛି।
ଅନୁରୂପ ଭାବେ ବହିରେ ତ୍ରୁଟିପୂର୍ଣ୍ଣ ବାକ୍ୟ ଉଲ୍ଲେଖ ରହିଛି- “ପ୍ରତ୍ୟେକ ବ୍ଲକ୍କୁ ୬୨୩୪ଟି ପଞ୍ଚାୟତରେ ବିଭକ୍ତ କରାଯାଇଛି।” ପ୍ରଥମ କଥା ଏ ବାକ୍ୟଟି ଭୁଲ। ପ୍ରତ୍ୟେକ ବ୍ଲକ୍କୁ ୧୦-୩୦ଟି ପଞ୍ଚାୟତରେ ବିଭକ୍ତ କରାଯାଇଥାଇ ପାରେ। ପ୍ରତି ବ୍ଲକ୍ର ପଞ୍ଚାୟତ ସଂଖ୍ୟା ଭିନ୍ନ। ସେହିପରି ରାଜ୍ୟରେ ମୋଟ ପଞ୍ଚାୟତ ସଂଖ୍ୟା ମଧ୍ୟ ତ୍ରୁଟିପୂର୍ଣ୍ଣ। ପଞ୍ଚାୟତ ପୁନର୍ଗଠନ ପରେ ରାଜ୍ୟରେ ଏବେ ମୋଟ ୬,୭୯୮ ଗ୍ରାମପଞ୍ଚାୟତ ରହିଛି।
ଏହି ଗୋଟିଏ ବହିର ଗୋଟିଏ ପୃଷ୍ଠାରେ ଯଦି ଏତିକି ତ୍ରୁଟି ରହିଛି ତେବେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାବ୍ୟବସ୍ଥାରେ ତ୍ରୁଟି ବେଶ୍ ଅନୁମେୟ।
ଆମେ ଏ ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ଏ ବାବଦରେ ପୂର୍ବରୁ ଅବଗତ ଅଛନ୍ତି ବୋଲି ଜଣାଇଛନ୍ତି। ଯେହେତୁ ବହି ବଣ୍ଟା ସରିଛି ତାହାକୁ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ପାଠ ପଢ଼ାଇବା ବେଳେ ଶିକ୍ଷକମାନେ ତ୍ରୁଟି ସଂଶୋଧନ କରି ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଓଡ଼ିଶା ଲିଙ୍କ୍କୁ କହିଛନ୍ତି। ଅନ୍ୟପଟେ ଏ ତ୍ରୁଟିର କାରଣ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ମନ୍ତ୍ରୀ ନିରବ ରହିଛନ୍ତି।