ଅଧିକ ଗମ୍ଭୀର ହେଉଛି ମହାମାରୀ କରୋନା: WHO

ନ୍ୟୁୟର୍କ: ସାରା ବିଶ୍ବକୁ କଲବଲ କରୁଛି ମହାମାରୀ କରୋନା ଭାଇରସ୍। ଏହାରି ମଧ୍ୟରେ ଯଦି ବିଭିନ୍ନ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକରନ୍ତି ତେବେ ସମଗ୍ର ବିଶ୍ୱରେ ଏହା ଭୟାନକ ଭାବେ ବୃଦ୍ଧି ପାଇବ ଓ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇଛି।
‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଘେବ୍ରେୟସ୍ ଜେନେଭାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରୁ ଏକ ଭର୍ଚୁଆଲ୍ ସଂକ୍ଷିପ୍ତ ସୂଚନା ଦେଇ କହିଛନ୍ତି, “ମୋତେ ସ୍ପଷ୍ଟ ଭାବେ ଦେଖାଯାଉଛି, ବହୁତ ଦେଶ ଭୁଲ ଦିଗକୁ ଯାଉଛନ୍ତି, ତେଣୁ ଏହି ଭାଇରସ୍ ସର୍ବସାଧାରଣଙ୍କ ଏକ ନମ୍ବର ଶତ୍ରୁ ହେବାକୁ ଯାଉଛି। ଯଦି ମୌଳିକ ନିୟମ ବା କଟକଣା ପାଳନ କରାଯାଏ ନଯାଏ, ତେବେ ଏକମାତ୍ର ଦିଗ ଭାବେ ଏହି ମହାମାରୀର ଦିନକୁ ଦିନ ଖରାପ, ଅତି ଖରାପ ପରିସ୍ଥିତି ଆଡକୁ ଯିବ ” ବୋଲି ସେ କହିଛନ୍ତି।
ରଏଟର୍ସ ଅନୁଯାୟୀ ବିଶ୍ବରେ କରୋନ ସଂକ୍ରମଣ ୧କୋଟି ୩୧ ଲକ୍ଷରେ ପହଞ୍ଚିଛି, ଯେଉଁଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ସମାଲୋଚନାର ସରବ୍ୟ ହୋଇଥିବା ଟେଡ୍ରୋସ କହିଛନ୍ତି ଯେ ରବିବାର ଦିନ ୨,୩୦,୦୦୦ ନୂତନ ମାମଲା ମଧ୍ୟରୁ ୮୦% ୧୦ଟି ଦେଶରୁ ଏବଂ ୫୦% କେବଳ ଦୁଇଟି ଦେଶରୁ ଆସିଛି। ନିକଟ ଅତୀତର କିଛି ସପ୍ତାହରେ ଦୃଢ ପ୍ରତିକ୍ରିୟା ଦେଇ ଟେଡ୍ରୋସ୍ କହିଛନ୍ତି ଯେ, “ଭବିଷ୍ୟତ ଆଉ ପୁରାତନ ସ୍ୱାଭାବିକ ଅବସ୍ଥାକୁ ଫେରିବ ନାହିଁ। ତେଣୁ ଅନେକ କିଛି ଚିନ୍ତା କରିବାର ଅଛି।”
ଟେଡ୍ରୋସ କହିଛନ୍ତି ଯେ ଟ୍ରମ୍ପଙ୍କ ଦ୍ବାରା ଘୋଷିତ ଆମେରିକାର ପଲଆଉଟ୍ ବିଷୟରେ ‘ହୁ’ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ବିଜ୍ଞପ୍ତି ଗ୍ରହଣ କରି ନାହିଁ। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସଙ୍କଟ ଆରମ୍ଭରେ ‘ହୁ’ ଚାଇନାକୁ ଯାଇଥିଲା, ଯେଉଁଠାରେ ପ୍ରଥମେ କୋଭିଡ-୧୯ ଚିହ୍ନଟ ହୋଇଥିଲା।
ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ କରୋନାର ଉତ୍ପତ୍ତି ବାବଦରେ ଜାଣିବା ପାଇଁ ଚୀନ୍ ଗସ୍ତରେ ରହିଛନ୍ତି। ପ୍ରଥମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଚୀନ୍ ଗସ୍ତ କରିବ ବୋଲି ସୂଚନା ଦେଇଥିଲା। ଏହାପରେ ଚୀନ ମଧ୍ୟ ତଦନ୍ତ ପାଇଁ ପୂର୍ବ ନିଷ୍ପତ୍ତିରୁ ଓହରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମକୁ ସ୍ୱାଗତ କରିଛି।